ନୂଆଦିଲ୍ଲୀ ୨୨/୦୮ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କଲ୍ୟାଣ ସିଂହଙ୍କ ଗତ ଶନିବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି । କଲ୍ୟାଣ ସିଂହଙ୍କ ନିଧନ ଭାରତ ପାଇଁ ଅପୂରଣୀୟ କ୍ଷତି ପହଞ୍ଚାଇଛି । ତାଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଛି । ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଇତିହାସରେ ଲପିବଦ୍ଧ ହୋଇ ରହିବ ।
୧୯୩୫ ମସିହା ଜାନୁଆରୀ ୫ ତାରିଖରେ ଅଲୀଗଡର ମଢୌଲୀ ଗାଁର ଏକ ଚାଷୀ ପରିବାରରେ କଲ୍ୟାଣ ସିଂହଙ୍କ ଜନ୍ମ । ପିଲା ଦିନରୁ ହିଁ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହିତ ଯୋଡି ହୋଇଥିଲେ । ଉଚ୍ଚ ଶିକ୍ଷା ପ୍ରାପ୍ତ ପରେ ଅଧ୍ୟାପକ ଭାବେ ଚାକିରି କରିଥିଲେ । ରାଜନୀତିରେ ରୁଚି ଥିବାରୁ ସେ ଚାକିରି ଛାଡି ପଲିଟିକ୍ସ କରିଥିଲେ । ସେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଭାବେ ମଧ୍ୟ ପରିଚିତ । ରାଜନୀତିରେ ଆଗକୁ ବଢି ୧୯୯୧ ମସିହାରେ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । କଲ୍ୟାଣ ସିଂହଙ୍କ ଜୀବନୀ ବେଶ ଉତ୍ଥାନ ପତ୍ତନ ଦେଇ ଗତି କରିଥିଲା । ରାଜନୀତି ବିଶ୍ଲେଷକମାନେ କୁହନ୍ତି ସେ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାଣୀଙ୍କ ଭଳି ଜନନେତା ହୋଥପାରିଥାନ୍ତେ । କିନ୍ତୁ ସାମାନ୍ୟ କିଛି ଭୁଲ ପାଇଁ ସେ ବିଜେପିର ଶୀର୍ଷ ନେତୃତ୍ବ ହେବାରୁ ବଞ୍ଚିତ ହୋଇଥିଲେ । କଲ୍ୟାଣ ସିଂହଙ୍କୁ ଯଦି ଇତିହାସ ମନେ ରଖିବ ତେବେ ସେ କରିଯାଇଥିବା ପ୍ରମୁଖ ଅଧ୍ୟାୟ ସର୍ବଦା ମନେ ରହିବ ।

୧୯୬୭ ମସିହାରେ ଜନସଂଘରୁ ଟିକେଟ ପାଇ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ କଲ୍ୟାଣ ସିଂହ । ୧୯୮୦ ଯାଏଁ ଲଗାତାର ଭାବେ ସେ ସେହି ସିଟ୍ରୁ ଜିତି ବିଧାନସଭା ଯାଇଥିଲେ । ପରେ ଜନସଂଘ ପାର୍ଟି ଜନତା ପାର୍ଟିରେ ବିଲୟ ହୋଇଯାଇଥିଲା । ୧୯୭୭ ମସିହାରେ ୟୁପିରେ ଜନତା ପାର୍ଟି ସରକାରକୁ ଆସିବା ପରେ ତାଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ ପଦବୀ ମିଳିଥିଲା । କିନ୍ତୁ ୧୯୮୦ରେ ସେ ନିର୍ବାଚନ ହାରିଯାଇଥିଲେ । ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ଗଠନ ହେବାପରେ କଲ୍ୟାଣ ସିଂହଙ୍କୁ ଦଳର ରାଜ୍ୟର ମହାମନ୍ତ୍ରୀ କରାଯାଇଥିଲା । ଅଯୋଧ୍ୟା ଆନ୍ଦୋଳନ ବେଳେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରମ ରାମ ଭକ୍ତ ଭାବେ କଲ୍ୟାଣ ସିଂହଙ୍କ ପରିଚୟ ସୃଷ୍ଟି ହୋଇଥିଲା । ସେଥିପାଇଁ ୧୯୯୧ ମସିହାରେ ୟୁପିରେ ଯେତେବେଳେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିଲା କଲ୍ୟାଣ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।
ଅଯୋଧ୍ୟାରେ ରାମ ଜନ୍ମଭୂମୀ ପାଇଁ ଆନ୍ଦୋଳନ ଜାରି ରହିଥିବା ବେଳେ ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ୧୯୯୦, ଅକ୍ଟୋବର ୩୦ ତାରିଖରେ ଅଯୋଧ୍ୟାରେ କରସେବକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ପାଇଁ ନିର୍ଦେଶ ଦେଇଥିଲେ । ଗୁଳିକାଣ୍ଡରେ ଅନେକ ସଂଖ୍ୟାରେ କରସେବକ ପ୍ରାଣ ହରାଇଥିଲେ । ମୁଲାୟମଙ୍କୁ କାଉଣ୍ଟର କରିବା ପାଇଁ କଲ୍ୟାଣ ସିଂହଙ୍କୁ ଆଗକୁ ଛାଡିଥିଲା ବିଜେପି । ଏହାକୁ ଏକ ପ୍ରମୁଖ ମୁଦ୍ଦା ଭାବେ ନେଇ ଜାତିଗତ ସମୀକରଣକୁ ନେଇ ମାଇଲେଜ ନେଲା ବିଜେପି । ପରିସ୍ଥିତି ଏଭଳି ହେଲା, ୧୯୯୧ ମସିହାରେ ପୂର୍ଣ୍ଣ ବହୁମତ ସହିତ ସରକାର କରିଥିଲା ବିଜେପି । ପରେ ନିଜ ମନ୍ତ୍ରୀମଣ୍ଡଳ ସହିତ ରାମ ଜନ୍ମଭୂମିରେ ପହଞ୍ଚି ସେଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଶପଥ ନେଇଥିଲେ କଲ୍ୟାଣ ସିଂହ । କିନ୍ତୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ୧୯୯୨ ମସିହାରେ ତାଙ୍କ ମୋଡ ସେତେବେଳେ ବଦଳିଥିଲା ଯେତେବେଳେ ଡିସେମ୍ବର ୬, ୧୯୯୨ରେ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗାଯାଇଥିଲା । ଏହାପରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କଲ୍ୟାଣ ସିଂହ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ କଲ୍ୟାଣ ସିଂହଙ୍କ ମଧ୍ୟରେ ବିବାଦ ତାଙ୍କ ରାଜନୈତିକ ଜୀବନର ଆଉ ଏକ ପ୍ରମୁଖ ଅଧ୍ୟାୟ । ଉଭୟ ଆରଏସ୍ଏସ୍ରୁ ହିଁ କ୍ୟାରିୟର ଆରମ୍ଭ କରି ପ୍ରତିଷ୍ଠିତ ହୋଇପାରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ବିଭିନ୍ନ ମୁଦ୍ଦାକୁ ନେଇ ଶୀତଳ ଯୁଦ୍ଧ ଲାଗିରହିଥିଲା । କଲ୍ୟାଣ ସିଂହଙ୍କୁ ବାଜପେୟୀଙ୍କ ବିକଳ୍ପ ବୋଲି କୁହାଯାଉଥିଲା । କିନ୍ତୁ ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହେବା ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ବାଜପେୟୀଙ୍କ ବିରୁଦ୍ଧରେ ମୋର୍ଚ୍ଛା ସମ୍ଭାଳିବାରୁ ତାଙ୍କୁ ଦଳରୁ ବିଦା କରାଯାଇଥିଲା । ଏହାପରେ ମଧ୍ୟ ସେ ବାଜପେୟୀଙ୍କ ବିରୁଦ୍ଧରେ ବୟାନବାଜୀ ଜାରି ରଖିଥିଲେ । ପରେ ତାଙ୍କୁ ୬ ବର୍ଷ ପାଇଁ ବିଜେପିରୁ ସସ୍ପେଣ୍ଡ କରାଯାଇଥିଲା । ପରେ ସମର୍ଥକଙ୍କ ସହିତ ମିଶି ରାଷ୍ଟ୍ରୀୟ କ୍ରାନ୍ତି ପାର୍ଟି ଗଠନ କରିଥିଲେ କଲ୍ୟାଣ ସିଂହ । ୨୦୦୨ ମସିହାରେ ତାଙ୍କ ଦଳ ମାତ୍ର ୪ଟି ସିଟ୍ରେ ଜିତିଥିଲା । ୨୦୦୪ ମସିହାରେ ତାଙ୍କୁ ପୁଣିଥରେ ବିଜେପିରେ ସାମିଲ କରିଥିଲେ ବାଜପେୟୀ । ୨୦୦୭ ମସିହାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଛିଡା କରିଥିଲା ବିଜେପି କିନ୍ତୁ ଅମାନତ ହାରିଥିଲା ଦଳ । ପରେ ସେ ବିଜେପିରୁ ମୋହ ତୁଟାଇ ୨୦୦୯ ମସିହାରେ ପୁଣି ଥରେ ଦଳ ଛାଡିଥିଲେ । ୨୦୧୨ରେ ନିଜ ଦଳକୁ ମଜବୁତ କରିବାକୁ ଚେଷ୍ଟା କରିଥିଲେ କଲ୍ୟାଣ କିନ୍ତୁ ଅମାନତ ହରାଇଥିଲେ । ପରେ ୨୦୧୪ ମସିହାରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଜୀବନ ସାରା ବିଜେପି ସହିତ ରହିବା ପାଇଁ କହିଥିଲେ କଲ୍ୟାଣ ସିଂହ । ମୋଦି ସରକାରରେ ତାଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା ।