‘ଟାଇମ’ ମ୍ୟାଗଜିନ ସୂଚୀରେ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ମୋଦୀ- ମମତା

ନୂଆଦିଲ୍ଲୀ : ପ୍ରସିଦ୍ଧ ପତ୍ରିକା ‘ଟାଇମ୍‌’ ୨୦୨୧ ପାଇଁ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି। ମ୍ୟାଗଜିନ୍ ଦୁନିଆର ୧୦୦ ପ୍ରଭାବଶାଳୀ ଲୋକଙ୍କ ତାଲିକା ଜାରି କରିଛି। ଏହି ସୂଚୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ ଅଦାର ପୁନାଓ୍ଵାଲାଙ୍କୁ ମଧ୍ୟ ସ୍ଥାନ ମିଳିଛି। ମ୍ୟାଗଜିନ୍ ୧୦୦ ପ୍ରଭାବଶାଳୀ ଲୋକଙ୍କ ଏହି ସୂଚୀକୁ ୬ ବର୍ଗରେ ବିଭକ୍ତ କରିଛି।

ଏହି ବର୍ଗରେ ନେତା, କଳାକାର, ପାୟନିୟର, ଆଇକନ, ଟାଇଟନ ଓ ଅନ୍ଵେଷକ ସାମିଲ୍। ଏହି ସବୁ ବର୍ଗରେ ସମଗ୍ର ଦୁନିଆରୁ ଅଲଗା ଅଲଗା ଲୋକଙ୍କୁ ସାମିଲ୍ କରାଯାଇଛି। ଟାଇମ୍ ମ୍ୟାଗଜିନ୍‌ର ଏହି ତାଲିକାକୁ ସବୁଠୁ ଶକ୍ତିଶାଳୀ ଏବଂ ଭରସାଯୋଗ୍ୟ ତାଲିକା ଭାବେ ଗ୍ରହଣ କରାଯାଏ। ମ୍ୟାଗଜିନ୍‌ର ସଂପାଦକ ଏହି ସୂଚୀ ପ୍ରସ୍ତୁତ କରିବା ପାଇଁ ଖୁବ୍ ପରିଶ୍ରମ କରିଥାନ୍ତି। ଏହା ବ୍ୟତୀତ ଯେଉଁ ଲୋକଙ୍କୁ ଏଥିରେ ସାମିଲ୍ କରାଯାଏ, ସେମାନଙ୍କୁ ସମାଜରେ ଉଲ୍ଲେଖନୀୟ କାମକୁ ଦୃଷ୍ଟିରେ ରଖି ସମ୍ମାନିତ କରାଯାଏ।

 

ଏହି ପତ୍ରିକାରେ ଭାରତୀୟ-ଆମେରିକନ ସାମ୍ବାଦିକ ଫରିଦ ଜକାରିଆ ଲେଖିଛନ୍ତି, ଯେବେ ନରେନ୍ଦ୍ର ମୋଦୀଙ୍କୁ ଚୟନ କରାଯାଇଥିଲା, ଅନେକ ଲୋକେ ଏହା ଭାବିଥିଲ ଯେ ଭାରତରେ ସାମାଜିକ ସମନ୍ଵୟ ଓ ସଦଭାବ ବିଗିଡିଯିବ। ହେଲେ ମୋଦୀ ବଡ ଏକାଗ୍ରତାର ସହ କିଛି ଭିନ୍ନ କରିଛନ୍ତି। ସେ ଦେଶକୁ ହିନ୍ଦୁ ରାଷ୍ଟ୍ରୀୟତା ଅଭିମୁଖେ ନେଇଯାଇଛନ୍ତି। ମମତା ବାନାର୍ଜୀଙ୍କ ବିଷୟରେ ବରଖା ଦତ୍ତ ଲେଖିଛନ୍ତି, ମେ ୨ରେ ମମତା ବାନାର୍ଜୀ ନରେନ୍ଦ୍ର ମୋଦୀଙ୍କ ବିସ୍ତାରବାଦୀ ସାମ୍ନାରେ କାନ୍ଥ ଭାବେ ଛିଡା ହୋଇଛନ୍ତି। ଭାରତୀୟ ଜନତା ପାର୍ଟି ପାଖରେ ଜନବଳ ଏବଂ ଅର୍ଥବଳ ଉଭୟ ଥିଲା। ଏହା ସତ୍ତ୍ଵେ ବି ମମତା ବାନାର୍ଜୀ ପୁନର୍ବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।

ସାମ୍ବାଦିକ ଅଭିଷ୍ୟନ୍ତ କିଦନଗୁର ଲେଖିଛନ୍ତି, ପୁନାଓ୍ଵାଲା ମାର୍ଚ୍ଚରେ ମୋତେ କହିଥିଲେ ଯେ, ଯଦି ଇତିହାସ ତାଙ୍କ କାମକୁ ସମୀକ୍ଷା କରେ ତେବେ ତାଙ୍କ ମନରେ କୌଣସି ପ୍ରକାରର ଅବଶୋଷ ରହିବ ନାହିଁ। ଚଳିତ ବର୍ଷ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପୁଣେରେ ତାଙ୍କ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଥିଲା। କରୋନା ଭ୍ୟାକ୍ସିନ ପାଇଁ ଭାରତରେ କଞ୍ଚାମାଲର ଅଭାବ ଥିବା ସତ୍ତ୍ଵେ ସେ ଟିକା ଉତ୍ପାଦନରେ ପ୍ରଶଂସନୀୟ କାମ କରିଛନ୍ତି।