ୟୁପିରେ କ୍ଷମତାକୁ ଆସିଲେ ସହିଦ କୃଷକଙ୍କ ପରିବାରକୁ ଦିଆଯିବ ୨୫ ଲକ୍ଷ ଟଙ୍କା : ଅଖିଳେଶ ଯାଦବ

ଲକ୍ଷ୍ନୌ : ତିନି କୃଷି ଆଇନ ପ୍ରତ୍ୟାହାର ପରେ ଏବେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏହାକୁ ପ୍ରସଙ୍ଗ କରିବାକୁ ପ୍ରସ୍ତୁତି କରିଛି ସମାଜବାଦୀ ପାର୍ଟି। ଛୋଟ ଛୋଟ ଦଳ ସହିତ ମେଣ୍ଟକୁ ଅନ୍ତିମ ରୂପ ଦେବାରେ ଜୁଟିଥିବା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବଡ ଘୋଷଣା କରିଛନ୍ତି। ଅଖିଲେଶ କହିଛନ୍ତି, ୟୁପିରେ କ୍ଷମତାକୁ ଆସିଲେ କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯିବ।

ଅଖିଳେଶ ବୁଧବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ଅଖିଳେଶ ଲେଖିଛନ୍ତି, କୃଷକଙ୍କ ଜୀବନ ଅମୂଲ୍ୟ ହୋଇଥାଏ। ସେମାନେ ଅନ୍ୟର ଜୀବନ ପାଇଁ ଅନ୍ନ ଉତ୍ପାଦନ କରନ୍ତି। ମୁଁ ବଚନ ଦେଉଛି ଯେ, ୨୦୨୨ରେ ସମାଜବାଦୀ ପାର୍ଟି ସରକାରକୁ ଆସିବା ମାତ୍ରେ କୃଷକ ଆନ୍ଦୋଳନରେ ସହିଦ ପରିବାରର ଲୋକଙ୍କୁ ୨୫ ଲକ୍ଷ ଟଙ୍କାର ‘କିଷାନ ସହିଦ ସମ୍ମାନ ରାଶି’ ଦିଆଯିବ।

କୃଷକଙ୍କୁ ନେଇ ଅଖିଳେଶ କ୍ରମାଗତ ବିଜେପିକୁ ଟାର୍ଗେଟ୍ କରି ଚାଲିଛନ୍ତି। ଏହା ପୂର୍ବରୁ ଅଖିଳେଶ ଯାଦବ କହିଥିଲେ, ଧନୀମାନଙ୍କ ଦଳ ବିଜେପି ଭୂମି ଅଧିଗ୍ରହଣ ଏବଂ କଳା କୃଷି ଆଇନ ଜରିଆରେ ଗରିବ କୃଷକଙ୍କୁ ଠକିବାକୁ ଚାହୁଁଥିଲା। ବିଜେପି ଏବେ ଉତ୍ତର ଦେଉ ଯେ, ଶହ ଶହ କୃଷକଙ୍କ ମୃତ୍ୟୁର ଦୋଷୀଙ୍କୁ କେବେ ସଜା ମିଳିବ।

ସୂଚନାଯୋଗ୍ୟ, କେନ୍ଦ୍ର କ୍ୟାବିନେଟ୍ ବୁଧବାର ତିନି କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ଦିନ ପୂର୍ବେ ଅର୍ଥାତ ନଭେମ୍ବର ୧୯ରେ ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ। କ୍ୟାବିନେଟ୍ ମଞ୍ଜୁରୀ ପରେ ଏବେ ଆଇନ ପ୍ରତ୍ୟାହାର ବିଧେୟକ ସଂସଦର ଶୀତକାଳୀନ ଅଧିବେଶନରେ ଆଗତ କରାଯିବ। ଗୃହରେ ପାରିତ ହେବା ପରେ କୃଷକଙ୍କ ଆନ୍ଦୋଳନର ମୂଳ କାରଣ ତିନି କୃଷି ଆଇନ ସମାପ୍ତ ହେବ।