ମୁମ୍ବାଇ,୨୧/୪: ଆଇପିଏଲ ୨୦୨୨ରୁ ବାଦ୍ ପଡିବାର ଦ୍ଵାର ଦେଶରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଜି ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଏହି ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବାକୁ ଯଥା ସମ୍ଭବ ଉଦ୍ୟମ କରିବ ମୁମ୍ବାଇ। ପାଞ୍ଚ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ। ଯଦି ଆଜିର ମ୍ୟାଚ୍ ହାରିଯାଏ ତେବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍ ଦୌଡରୁ ବାଦ୍ ପଡିବ।
ଲଗାତାର ୫ଥର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅବସ୍ଥା ମଧ୍ୟ ଠିକ୍ ନାହିଁ। ଦଳ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି। ଦଳ ଛଅଟି ମ୍ୟାଚରୁ ୫ଟିରେ ପରାଜୟର ମୁହଁ ଦେଖି ସାରିଛି। ଯଦି ଆଜିର ମ୍ୟାଚ୍ ଦଳ ହାରିଯାଏ ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଦ୍ଵାର ଦେଶରେ ପହଞ୍ଚିଯିବ। ମୁମ୍ବାଇ ପାଇଁ ସବୁଠୁ ବଡ ଚିନ୍ତା ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ। ସେ ଛଅଟି ମ୍ୟାଚରୁ ମାତ୍ର ୧୧୪ ରନ କରିଛନ୍ତି। ମୁମ୍ବାଇ ଯଦି ଲକ୍ଷ୍ୟର ପିଛା କରେ କିମ୍ବା ପ୍ରଥମେ ବ୍ୟାଟିଂ କରି ବଡ ସ୍କୋର କରିବାକୁ ଚାହେଁ ତେବେ ରୋହିତ ଶର୍ମାଙ୍କୁ ବଡ ଇନିଂସ ଖେଳିବାକୁ ପଡିବ।
ଯୁବ ବ୍ୟାଟସମ୍ୟାନ ଇଶାନ କିଷନ ନିଜ ବିକ୍ରି ମୂଲ୍ୟକୁ ସଠିକ୍ ସାବ୍ୟସ୍ତ କରି ପାରି ନାହାନ୍ତି। ତାଙ୍କୁ ମେଗା ନିଲାମରେ ୧୫.୨୫ କୋଟି ଟଙ୍କାରେ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ସେ ଛଅଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ସହ ୧୯୧ ରନ କରିଛନ୍ତି। ଡେଓ୍ଵାର୍ଲ୍ଡ ବ୍ରେଭିସ୍, ତିଳକ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବ କିଛି ଭଲ ଇନିଂସ ଖେଳିଥିଲେ ହେଁ ଦଳକୁ ଜିତାଇବାକୁ ହେଲେ ସେମାନଙ୍କୁ ମଧ୍ୟ କ୍ରମର ଦାୟିତ୍ଵ ସମ୍ଭାଳିବାକୁ ପଡିବ।
ମୁମ୍ବାଇ ପାଇଁ ବ୍ୟାଟିଂ ଅପେକ୍ଷା ବୋଲିଂକୁ ନେଇ ଅଧିକ ଚିନ୍ତିତ ରହିଛି। ଯଶପ୍ରୀତ ବୁମରାଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବୋଲର ଭଲ ପ୍ରଦର୍ଶନ କରି ପାରି ନାହାନ୍ତି। ଟାଇମଲ ମିଲ୍ସ, ଜୟଦେବ ଉନାଦକତ, ବାସିଲ ଥମ୍ପି କିମ୍ବା ମୁଖ୍ୟ ସ୍ପିନର ମୁରୁଗନ ଅଶ୍ଵିନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ।
ଚେନ୍ନାଇ ପାଇଁ ଋତୁରାଜ ଗାଏକଓ୍ଵାଡଙ୍କ ଫର୍ମକୁ ଫେରିବା ସକରାତ୍ମକ ସଙ୍କେତ। ସେ ଗୁଜରାଟ ଟାଇଟନ୍ସ ବିପକ୍ଷ ଗତ ମ୍ୟାଚରେ ୪୮ ବଲରୁ ୭୩ ରନ କରିଥିଲେ। ରବିନ ଉଥପ୍ପା ଏବଂ ଶିବମ ଦୁବେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମୁକାବିଲାରେ ଦମଦାର ବ୍ୟାଟିଂ କରିଥିଲେ ମଧ୍ୟ ଗୁଜରାଟ ବିପକ୍ଷ ମୁକାବିଲାରେ ବିଫଳ ରହିଥିଲେ। ମଧ୍ୟକ୍ରମରେ ଅମ୍ବାତି ରାୟୁଡୁ ଏବଂ ମୋଇନ ଅଲ୍ଲୀଙ୍କ ସହିତ ଦୁବେଙ୍କୁ ଅଧିକ ଯତ୍ନବାନ ହେବାକୁ ପଡିବ।
ଅଧିନାୟକ ରବୀନ୍ଦ୍ର ଜାଡେଜା ଏବଂ ମହେନ୍ଦ୍ର ସିଂହ ଧୋନୀ ଫିନିସର ଭୂମିକା ନିଭାଇ ପାରନ୍ତି। ତେବେ ଜାଡେଜା ବୋଲିଂରେ ସେତେଟା ପ୍ରଭାବଶାଳୀ ପ୍ରଦର୍ଶନ କରି ପାରି ନାହାନ୍ତି। ଡ୍ଵେନ ବ୍ରାଭୋ ଏବଂ ସ୍ପିନର ମହେଶ ତୀକ୍ଷଣାଙ୍କୁ ଛାଡି ଚେନ୍ନାଇର ବାକି ବୋଲରଙ୍କ ପ୍ରଦର୍ଶନ ଆଶାନୁରୂପ ରହି ନାହିଁ। ଦୀପକ ଚହର ବାଦ୍ ପଡିବା ଏବଂ ଆଡମ ମିଲନେ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଫିଟ୍ ନହେବା କାରଣରୁ ଚେନ୍ନାଇ ପାଇଁ ଏହା ବଡ ଚିନ୍ତାର ବିଷୟ ପାଲଟିଛି।