ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କେମିତି ହୋଇଥିଲା ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ପୋଷ୍ଟମର୍ଟମରୁ ସୁରାକ୍ ମିଳିଛି । ମୃତ୍ୟୁ ସୁଇସାଇଡାଲ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏଥିସହ ତାଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତଚିହ୍ନ ନ ଥିବା ବେଳେ କେବଳ ବେକରେ ରଶି ଲଗାଇବାର ଚିହ୍ନ ରହିଛି। ଜଣେ ଆତ୍ମହତ୍ୟା କଲେ ଯେଉଁ ସବୁ ଲକ୍ଷଣ ଦେଖିବାକୁ ମିଳେ, ତାହା ରଶ୍ମିରେଖାଙ୍କ ଠାରୁ ଦେଖିବାକୁ ମିଳିଥିବା ଡାକ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ରିପୋର୍ଟରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ବେକରେ ଦଉଡି ଦେଇଥିବାରୁ ଶ୍ବାଶରୁଦ୍ଧ ହୋଇଥିଲା। ପୋଷ୍ଟମର୍ଟମ ର ୨୪ ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ସେ ବିଷ ପିଇଥିଲେ କି ଅନ୍ୟ କିଛି ତାହା ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ। ତେଣୁ ଭିସେରା ରିପୋର୍ଟ ପାଇଁ ରଶ୍ମିରେଖାଙ୍କ ଶରୀରରୁ କିଛି ଅଭ୍ୟନ୍ତରୀଣ ଅଂଶକୁ ପଠାଇ ଦିଆଯାଇଛି। ଅନ୍ୟପଟରେ ରଶ୍ମିରେଖା କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଜାଣିବା ପାଇଁ ତାଙ୍କର ଦୁଇ ପୁରୁଷବନ୍ଧୁଙ୍କୁ ଜେରା କରିବ ନୂଆପଲ୍ଲୀ ଥାନା ପୁଲିସ। ପ୍ରେମିକ ସନ୍ତୋଷ ପାତ୍ର ଓ ପୂର୍ବତନ ପ୍ରେମିକ ରାଜାଙ୍କୁ ତଦନ୍ତ ଅଧିକାରୀ ଜେରା କରିବ। ଖୁବ୍‍ଶୀଘ୍ର ଦୁଇ ଜଣଙ୍କୁ ଥାନାରେ ହାଜର ହେବା ଲାଗି ସମନ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଅପରପଟେ ରାଜା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କରୋନା ଲକ୍‌ଡାଉନ୍ ସମୟରେ ତାଙ୍କର ରଶ୍ମିଙ୍କ ସହିତ ସଂପର୍କ ଛିନ୍ନ ହୋଇଥିଲା। ମାତ୍ର ଭାଇରାଲ୍ ହେଉଥିବା କଲ୍ ରେକର୍ଡିଂରେ ରାଜାଙ୍କୁ ରଶ୍ମି ପାଗଳ, ସାଇକୋ ଏବଂ ଏଥିପାଇଁ ସେ ମାଡ଼ଖାଏ ବୋଲି ସନ୍ତୋଷଙ୍କୁ କହିଛନ୍ତି। ତେଣୁ ଉଭୟ ଦିଗରୁ ମିଳୁଥିବା ତଥ୍ୟ ପ୍ରମାଣ ପରସ୍ପର ସହ ମେଳ ଖାଉନି। ଯେଉଁଥିପାଇଁ ପୁଲିସ ରାଜାଙ୍କୁ ମଧ୍ୟ ସନ୍ଦେହ ଘେରରେ ଦେଖୁଛି।