୨୦୨୬ ବବି ଦେଓଲଙ୍କ ପାଇଁ ଖୁସିର ବର୍ଷ । ସେ ଲଗାତାର ନିଜ ପ୍ରଶଂସକମାନଙ୍କୁ ଭଲ ଖବର ଦେଇଚାଲିଛନ୍ତି । ତେବେ ବବି ପୁଣି ପ୍ରଶଂସକମାନଙ୍କୁ ଏକ ଧମାକାଦାର ସରପ୍ରାଇଜ୍ ଦେଇଛନ୍ତି । ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ଆଶ୍ରମର ଚତୁର୍ଥ ସିଜନ୍ର ସୁଟିଂ ଆରମ୍ଭ ହୋଇଯାଇଛି । ଏନେଇ ବବି ଦେଓଲ ଏବଂ ପ୍ରକାଶ ଝା ସୋସିଆଲ୍ ମିଡିଆ ଜରିଆରେ ଆଶ୍ରମ ୪ ର ଘୋଷଣା କରିଛନ୍ତି ।
ଆଶ୍ରମ ୪ର ସୁଟିଂ ଆରମ୍ଭ: ୨୨ ଅଗଷ୍ଟ ୨୦୨୬ରେ ପ୍ରକାଶ ଝା ପ୍ରଡକ୍ସନ୍ସ ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛି ଯେ ‘ଆଶ୍ରମ ୪’ର ସୁଟିଂ ଆରମ୍ଭ ହୋଇଯାଇଛି । ବବି ଦେଓଲ ପୁଣିଥରେ ବାବା ନିରାଲା ଭୂମିକାରେ ନଜର ଆସିବେ । ଏହି ଚରିତ୍ରଟି ଏହି ସିରିଜ୍ର ସବୁଠାରୁ ବଡ଼ ଆକର୍ଷଣ ରହିଆସିଛି । ସିରିଜ୍ର ଘୋଷଣା କରି କୁହାଯାଇଛି-ଆଉ ଏକ ଆରମ୍ଭ, ଆଶ୍ରମର ନୂଆ ଅଧ୍ୟାୟକୁ ସ୍ୱାଗତ । ଜପନାମ । ଆଶ୍ରମ ୪ର ସୁଟିଂ ଆରମ୍ଭ।
ପ୍ରକାଶ ଝା ପୂର୍ବରୁ କହିଥିଲେ ଯେ ସିଜନ୍ ୪ର ନାମ ଏକ ବଦନାମ ଆଶ୍ରମ ହୋଇପାରେ । କାହାଣୀ ଜେଲ୍ରେ ବନ୍ଦ ଥିବା ବାବା ନିରାଲାଙ୍କୁ କେନ୍ଦ୍ର କରି ଆଗକୁ ବଢ଼ିବ । ଆଶ୍ରମ ଭିତରେ କ୍ଷମତା ପାଇଁ ସଂଘର୍ଷ, ବିଶ୍ୱାସଘାତକମାନଙ୍କ ପରିଚୟ ଏବଂ ନୂଆ ଶତ୍ରୁମାନଙ୍କ ସାମ୍ନା, ଏସବୁ ଚ୍ୟାଲେଞ୍ଜ ବାବା ନିରାଲାଙ୍କ ପାଇଁ ରହିବ ।
ସିଜନ୍ ୩ରେ ପମ୍ମୀ (ଅଦିତି ପୋହନକର) ବାବାଙ୍କ ବିରୋଧରେ ଆଇନଗତ ଲଢ଼େଇ ଆରମ୍ଭ କରିଥିଲେ । ଅନ୍ୟପଟେ ସୋନିଆ (ଇଶା ଗୁପ୍ତା) ବାବାଙ୍କୁ ଭଗବାନ ନିରାଲା ଭାବେ ପ୍ରଚାର କରିଥିଲେ । ଏବେ ସିଜନ୍ ୪ରେ ଏହି ସମସ୍ତ ଚରିତ୍ରଙ୍କ ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ହେବ ।
ବବି ଦେଓଲଙ୍କ ପ୍ରତ୍ୟାବର୍ତ୍ତନ: ‘ଆନିମଲ୍’ ଭଳି ବଡ଼ ଫିଲ୍ମ ପରେ ବବି ଦେଓଲଙ୍କ ଷ୍ଟାରଡମ୍ ଆହୁରି ବଢ଼ିଛି । ପ୍ରକାଶ ଝା ମଧ୍ୟ କହିଛନ୍ତି ଯେ ଆଶ୍ରମ ସିରିଜ୍ ବବିଙ୍କ ଲୋକପ୍ରିୟତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଏବେ ସେ ପୁଣିଥରେ ନିଜର ସବୁଠାରୁ ଚର୍ଚ୍ଚିତ ଚରିତ୍ର ବାବା ନିରାଲା ଭାବେ ଫେରୁଛନ୍ତି ।
ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଥିବା ବେଳେ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଆଶା କରାଯାଉଛି ଯେ ସିରିଜ୍ଟି ୨୦୨୭ର ଆରମ୍ଭରେ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ୍ ହୋଇପାରେ । ଆଶ୍ରମ ୪ ଜରିଆରେ ପୁଣିଥରେ ଧର୍ମ, ରାଜନୀତି, ଅପରାଧ ଏବଂ ଭକ୍ତି ନାମରେ ଚାଲିଥିବା ଠକେଇର ଅନେକ ପରତ ଉଜାଗର ହେବ । ବାବା ନିରାଲାଙ୍କ ଖେଳ ଏବେ ଏକ ନୂଆ ମୋଡ଼ ନେବ । ବବି ଦେଓଲଙ୍କ ପ୍ରଶଂସକମାନେ ଆଶ୍ରମ ୪ ର ଘୋଷଣାରେ ଖୁସିରେ ଝୁମି ଉଠିଛନ୍ତି ।