ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ହୋଇପାରିଛି : ଡବ୍ଲୁଏଫପି

ଭୁବନେଶ୍ବର : ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇଛି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (WFP) । ୧୯୯୯ ମହାବାତ୍ୟାରେ ବିପର୍ଯ୍ୟସ୍ତ ଓଡ଼ିଶା ଓ ୨୦୨୨ରେ ଆତ୍ମନିର୍ଭରଶୀଳ ଓଡ଼ିଶାକୁ ତୁଳନା କଲେ ରୂପାୟଣର ବାସ୍ତବତା ପ୍ରତୀୟମାନ ହୁଏ। ଏକ ସମୟରେ ନିଜର ସ୍ଥିତି ଓ ସ୍ଥିତାବସ୍ଥା ନିମନ୍ତେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ଧାନ ଉତ୍ପାଦନ ରାଜ୍ୟର ମାନ୍ୟତା ପାଇଛି। ଭାରତବର୍ଷର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଜି ପ୍ରମୁଖ ଅଂଶୀଦାର। ଖାଦ୍ୟଶସ୍ୟ ଉତ୍ପାଦନ, ବଣ୍ଟନ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ସମୟକ୍ରମେ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରାଜ୍ୟ ଢେର ଆଗରେ ରହିଛି। ଯାହା ବିଶ୍ବର ବିଭିନ୍ନ ଦେଶ ପାଇଁ ଏକ ଉଦାହରଣ ପାଲଟିଛି।

ଆଜି ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି ।ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ରୂପାନ୍ତରଣକୁ ଡବ୍ଲୁଏଫପି ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶା ଭଳି ସ୍ଥିତିରେ ଥିବା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଏହା ଖୁବ ଉପାଦେୟ ବୋଲି ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲେ କହିଛନ୍ତି । ଗତ ୨୨ବର୍ଷରେ ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ପରବର୍ତ୍ତି ପାଣିପାଗର ମୁକାବିଲା କରି ଆତ୍ମନିଯୁକ୍ତି ସୃଷ୍ଟି, କୁପୋଷଣ ଦୂର ସହ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହେବା, ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା ଭଳି ଅନେକ ଦିଗରେ ଓଡ଼ିଶା ଆଗରେ ରହିଛି । ସମସ୍ତଙ୍କ ସହଭାଗୀତାରେ ରାଜ୍ୟ ଜାତିସଂଘ ଦ୍ୱାରା ସ୍ଥିରିକୃତ ନିରନ୍ତର ବିକାଶ ଲକ୍ଷ୍ୟ ଆଡ଼କୁ ବଢିଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡବ୍ଲୁଏଫପି ଏବଂ ଏହାର ସହଯୋଗୀ ସଂସ୍ଥା ଦ୍ୱାରା ସାରା ବିଶ୍ୱ ଓଡ଼ିଶାର ଅଭିଜ୍ଞତା ପହଞ୍ଚାଇବାରେ ଖୁବ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।