ଆସିଲା ବିଜ୍ଞପ୍ତି: ଦୈନିକ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରୀ ପରିମାଣକୁ ବୃଦ୍ଧି କରିଛନ୍ତି। ସବୁବର୍ଗର ଶ୍ରମିକଙ୍କ ମଜୁରୀରେ ଦୈନିକ ୭ ଟଙ୍କା ବୃଦ୍ଧି ହୋଇଛି ଓ ଏହା ପିଛିଲା ଭାବେ ଚଳିତ ମାସ ପହିଲାରୁ କାର୍ଯ୍ୟକାରୀ ହେବ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ବର୍ଗର ଶ୍ରମିକଙ୍କର ବର୍ଦ୍ଧିତ ସର୍ବନିମ୍ନ ମଜୁରୀ ଅକ୍ଟୋବର ମାସ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏନେଇ ରାଜ୍ୟ ଶ୍ରମ କମିସନରଙ୍କ ତରଫରୁ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ଅଣକୁଶଳୀ ଶ୍ରମିକମାନେ ଦୈନିକ ୩୨୬ ଟଙ୍କା ମଜୁରୀ ପାଉଥିବା ବେଳେ ଏବେ ସେମାନେ ୩୩୩ ଟଙ୍କା ପାଇବେ । ଅର୍ଦ୍ଧକୁଶଳୀମାନେ ପୂର୍ବରୁ ୩୬୬ ଟଙ୍କା ପାଉଥିବା ବେଳେ ଏବେ ସେମାନେ ୩୭୩ ଟଙ୍କା ପାଇବେ । କୁଶଳୀମାନେ ପୂର୍ବରୁ ୪୧୬ ଟଙ୍କା ପାଉଥିବା ବେଳେ ଏବେ ସେମାନେ ୪୨୩ ଟଙ୍କା ଓ ଉଚ୍ଚ କୁଶଳୀ ପୂର୍ବରୁ ୪୭୬ ଟଙ୍କା ପାଉଥିବା ବେଳେ ଏବେ ସେମାନେ ୪୮୩ ଟଙ୍କା ପାଇବେ ।

ଦରଦାମ ବୃଦ୍ଧି କାରଣରୁ ପ୍ରତି ୬ ମାସରେ ଥରେ ମଜୁରୀ ସଂଶୋଧନ କରାଯିବା ନେଇ ନିୟମ ରହିଛି । ଏପ୍ରିଲ ମାସ ୧ ତାରିଖରୁ ଅକ୍ଟୋବର ୧ ମଧ୍ୟରେ ଏହି ନିୟମ ଲାଗୁ କରାଯିବ । ଚଳିତ ବର୍ଷ ଗତ ଜୁନ ୩୦ ତାରିଖ ସୁଦ୍ଧା ଖାଉଟି ମୂଲ୍ୟ ସୂଚକାଙ୍କ ସଂଖ୍ୟା ୩୫୭.୬୫ ପଏଣ୍ଟରୁ ୩୬୫.୭୬କୁ ବୃଦ୍ଧି ପାଇଥିଲା । ସେହି ଅନୁସାରେ ମଜୁରୀ ସଂଶୋଧନ କରାଯାଇଛି । ମୋଟ ୮୦ଟି ବର୍ଗର ଶ୍ରମିକଙ୍କ କ୍ଷେତ୍ରରେ ଏହି ସଂଶୋଧିତ ମଜୁରୀ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତେବେ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା ଫଳରେ ହଜାର ହଜାର ଶ୍ରମିକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।