‘ଡାର୍ଟି ବମ୍ ବ୍ୟବହାର କରିପାରେ ୟୁକ୍ରେନ୍’: ରାଜନାଥଙ୍କ ସହ କଥା ହେଲେ ଋଷ ବୈଦେଶିକ ମନ୍ତ୍ରୀ

ମସ୍କୋ: ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଜେଇ ଶୋଇଗୁ ବୁଧବାର ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହି ବାର୍ତ୍ତାଳାପରେ ସର୍ଜେଇ ରାଜନାଥଙ୍କୁ ୟୁକ୍ରେନର ବର୍ତ୍ତମାନ ସ୍ଥିତି ଉପରେ ଅବଗତ କରାଇଛନ୍ତି । ସର୍ଜେଇ ଆହୁରି କହିଛନ୍ତି ଯେ ୟୁକ୍ରେନ୍ ଏବେ ‘ଡାର୍ଟି ବମ୍’ ଋଷ ଉପରେ ବ୍ୟବହାର କରିବାକୁ ଯାଉଛି ଯାହା ଅତ୍ୟନ୍ତ ଚିନ୍ତାଜନକ । ୟୁକ୍ରେନ୍ ଦିନକୁ ଦିନ ଖରାପ ସ୍ଥିତି ଆଡକୁ ଗତି କରୁଛି ବୋଲି ସର୍ଜେଇ କହିବା ସହ ୟୁକ୍ରେନ୍ର ଡାର୍ଟି ବମ୍ ବ୍ୟବହାରକୁ ନେଇ ଋଷ ପ୍ରତିରକ୍ଷା ମନ୍ତ୍ରୀ ଆମେରିକା, ଇଂଲଣ୍ଡ, ତୁର୍କୀ ଆଦି ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିଥିବା ରାଜନାଥଙ୍କୁ କହିଥିଲେ ।

ଋଷ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ଫୋନ୍ରେ ଆଲୋଚନା ବେଳେ ରାଜନାଥ ସିଂ ୟୁକ୍ରେନ୍ ସହ ସଂଘର୍ଷର ସମାଧାନ ପାଇଁ କୂଟନୀତିର ରାସ୍ତା ଆପଣାଇବା ଉପରେ ଜୋର୍ ଦେଇଥିଲେ । ରାଜନାଥ ସିଂ ସର୍ଜେଇଙ୍କୁ କହିଥିଲେ ଯେ କୌଣସି ବି ଦେଶ ପରମାଣୁ ଆକ୍ରମଣର ବିକଳ୍ପ ଚିନ୍ତା କରିବା ଉଚିତ୍ ନୁହେଁ । କାରଣ ପରମାଣୁ ଅଥବା ରେଡିୟୋଲୋଜିକାଲ୍ ଅସ୍ତ୍ରଶସ୍ତ୍ରର ବ୍ୟବହାର ମାନବତା ମୌଳିକ ସିଦ୍ଧାନ୍ତର ବିରୋଧୀ ଅଟେ ।

ସେହିପରି ଉଭୟ ରାଜନାଥ ଓ ସର୍ଜେଇ ଭାରତ-ଋଷ ପ୍ରତିରକ୍ଷା ସହଯୋଗୀ ଓ ୟୁକ୍ରେନର ଦୁର୍ଦ୍ଦିନ ପରିସ୍ଥିତିକୁ ନେଇ ଆଲୋଚନା କରିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଜେଇ ଶୋଇଗୁ ମଧ୍ୟ ନାଟୋ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏ ବିଷୟରେ ରବିବାର ଆଲୋଚନା କରିଥିଲେ । ତେବେ ୟୁକ୍ରେନ୍ ଓ ତା’ର ପଶ୍ଚିମ ସହଯୋଗୀ ରାଷ୍ଟ୍ରମାନେ ଋଷର ଏଭଳି ଅଭିଯୋଗକୁ ଖାରଜ କରିଦେଇଛନ୍ତି । ସେହିପରି ଉକ୍ତ ରାଷ୍ଟ୍ରମାନେ ଚିନ୍ତାବ୍ୟକ୍ତ କରିଛନ୍ତି ଯେ ଋଷ ଏହି ଯୁଦ୍ଧକୁ ଆହୁରି ଲମ୍ବିତ କରିବାକୁ ଚାହୁଁଛି । ତେବେ ଋଷ କହିଛି କି ୟୁକ୍ରେନ୍ର ଡାର୍ଟି ବମ୍ ବ୍ୟବହାର ପରମାଣୁ ଆକ୍ରମଣ ବୋଲି ବିଚାର କରାଯିବ ଓ ଏହାର ଜବାବରେ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ କରାଯିବ ।

SBI_Festive_Digital Billboard