ଭୁବନେଶ୍ବର,୨୬/୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ନୂଆ ଲୁକର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସେ ସବୁଜ ରଙ୍ଗର ଜର୍ସି ପିନ୍ଧିଥିବା ସହ ଧଳା ରଙ୍ଗ ଟ୍ରାଉଜର୍ ପିନ୍ଧିଛନ୍ତି। ଏହାର ଆଗ ପଟରେ ‘ଓଡ଼ିଶା- ଅନ୍ ଦ ମୁଭ୍’ ଓ ପଛରେ ଇଂରାଜୀରେ ‘ବନ୍ଦେ ଉତ୍କଳ ଜନନୀ’ ଲେଖାଯାଇଛି। ନବୀନ ନିବାସ ପରିସରରେ ମୁଖ୍ୟମନ୍ତ୍ରୀ ଚାଲୁଥିଲା ବେଳର ଦୁଇଟି ଫଟୋ ଭାଇରାଲ୍ ହୋଇଛି ।
ସୂଚନା ଅନୁଯାୟୀ ଏହି ସବୁଜ ରଙ୍ଗର ଜର୍ସିକୁ ରାଜ୍ୟ ସରକାର ତାଙ୍କ ସୋଭେନିୟର୍ ଭାବେ ବ୍ୟବହାର କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଭୋଟିଂ ଜରିଆରେ ରାଜ୍ୟ କ୍ରୀଡ଼ା ପାଇଁ ଜର୍ସି ବାଛିବାକୁ ସାମାଜିକ ଗଣମାଧ୍ୟମରେ ନିବେଦନ କରିଥିଲେ। ଏଥିରେ କେତୋଟି ଫଟୋ ଦିଆଯାଇଥିଲା। ସର୍ବାଧିକ ଲୋକଙ୍କ ପସନ୍ଦ ଆସିଥିବା ସବୁଜ ରଙ୍ଗର ଜର୍ସିକୁ ରାଜ୍ୟ କ୍ରୀଡ଼ାର ଜର୍ସି ଭାବେ ବ୍ୟବହାର କରାଯିବ। ପ୍ରଥମେ ମୁଖ୍ୟମନ୍ତ୍ରୀ ଏହାକୁ ପିନ୍ଧି ରାଜ୍ୟବାସୀଙ୍କ ସାମ୍ନାକୁ ଆସିଛନ୍ତି।