ଭୁବନେଶ୍ୱର, ୦୯/୦୭ : ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଁ ଜୋନ୍ ରେ ଉଡିଲା ଡ୍ରୋନ୍ । ଆଜି ସକାଳ ପ୍ରାୟ ୫:୩୦ ମିନିଟରେ ଡ୍ରୋନଟି ଉଡୁଥିଲା । ଦୀର୍ଘ ସମୟ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଡ୍ରୋନ୍ ଉଡିବା ସହ ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟକୁ କଏଦ୍ କରିଛି । ଆସନ୍ତା ଗୁରୁବାର ରଥଯାତ୍ରା ଥିବାରୁ କଡା ସୁରକ୍ଷା ମଧ୍ୟରେ ପୁରୀ ସହର ରହିଛି । ଏତେ କଡା ସୁରକ୍ଷା ବଳୟ ସତ୍ୱେ ଶ୍ରୀମନ୍ଦିର ଉପରେ ଦୀର୍ଘ ସମୟ ଧରି ଡ୍ରୋନ୍ ଉଡିବା ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିର ନିକଟରେ ମକଡ୍ରିଲ୍ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ତେବେ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରୋନ୍ ଉଡାଇଥିବା ବ୍ୟକ୍ତିଙ୍କୁ ପୋଲିସ ତରଫରୁ କାବୁ କରାଯାଇ ସିଂହଦ୍ଵାର ଥାନାକୁ ନିଆଯାଇଥିବା ବେଳେ ସମ୍ପୃକ୍ତ ଡ୍ରୋନ୍ କୁ ମଧ୍ୟ ଜଵତ କରାଯାଇଛି । ତେବେ ଡ୍ରୋନ୍ ଉଡାଉଥିବା ଯୁବକର ପରିଚୟ ମିଳିପାରିନାହିଁ । ପୁରୀ ପୋଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ, ଶ୍ରୀମନ୍ଦିର ଓ ଏହାର ସୁରକ୍ଷିତ ପରିସରରେ ଡ୍ରୋନ୍ ଉଡ଼ାଇବା ଦଣ୍ଡନୀୟ ଅପରାଧ ।