ସର୍ବଦଳୀୟ ବୈଠକରେ ବିଦ୍ରୋହୀ ଟିଏମ୍‌ସି ସାଂସଦଙ୍କୁ ପୃଥକ ଆସନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜି ଆହୂତ ସର୍ବଦଳୀୟ ବୈଠକରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ତୃଣମୂଳ କଂଗ୍ରେସ (ଟିଏମସି)ର ପ୍ରାୟ ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ନେଇ ଗଠିତ ‘ନ୍ୟାସନାଲିଷ୍ଟ ସିଟିଜେନ୍‌ସ ପାର୍ଟି ଅଫ୍‌ ଇଣ୍ଡିଆ’ (ଏନସିପିଆଇ) ଗୋଷ୍ଠୀ ପାଇଁ ବୈଠକରେ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା କରାଯିବାକୁ ବିରୋଧ କରି ବିରୋଧୀ ‘ଇଣ୍ଡି’ ମେଣ୍ଟର ସାଂସଦମାନେ ପ୍ରତିବାଦ ସ୍ୱରୂପ କିଛି ସମୟ ପାଇଁ ବୈଠକ ବର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ବିରୋଧୀ ଦଳର ନେତାମାନେ ପୁନର୍ବାର ଆଲୋଚନାରେ ଯୋଗ ଦେଇ ସ୍ପଷ୍ଟ କରିଛନ୍ତି ଯେ, ଏହି ବର୍ଜନ କେବଳ ସରକାରଙ୍କ ଏକତରଫା ନିଷ୍ପତ୍ତି ବିରୋଧରେ ଏକ ପ୍ରତୀକାତ୍ମକ ପ୍ରତିବାଦ ଥିଲା।

ସଂସଦ ଆନେକ୍ସ ଭବନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଆସନ୍ତାକାଲିଠାରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମୌସୁମୀ ଅଧିବେଶନର ବିଧେୟକ କାର୍ଯ୍ୟସୂଚୀ ସମ୍ପର୍କରେ ସମସ୍ତ ପ୍ରମୁଖ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏପର୍ଯ୍ୟନ୍ତ ଟିଏମ୍‌ସି ବିଦ୍ରୋହୀ ଗୋଷ୍ଠୀକୁ ସଂସଦରେ ଏକ ସ୍ୱତନ୍ତ୍ର ରାଜନୈତିକ ଦଳ ଭାବେ ଆନୁଷ୍ଠାନିକ ମାନ୍ୟତା ପ୍ରଦାନ କରିନାହାନ୍ତି। ଏହା ସତ୍ତ୍ୱେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କୁ ସର୍ବଦଳୀୟ ବୈଠକକୁ ନିମନ୍ତ୍ରଣ କରାଯିବା ସହ ଟିଏମ୍‌ସି ସାଂସଦମାନଙ୍କ ସହ ନ ବସିବା ପାଇଁ ହୋଇଥିବା ଅନୁରୋଧ ଆଧାରରେ ଏକ ପୃଥକ ଟେବୁଲ ପ୍ରଦାନ କରାଯାଇଥିଲା। ଏହି ସ୍ୱତନ୍ତ୍ର ଆସନ ବ୍ୟବସ୍ଥାକୁ ନେଇ ‘ଇଣ୍ଡି’ ମେଣ୍ଟର ସଦସ୍ୟମାନେ କଡ଼ା ଆପତ୍ତି ଉଠାଇଥିଲେ। ଟିଏମସି ସାଂସଦ ମହୁଆ ମୈତ୍ର ସରକାରଙ୍କ ଏହି ପଦକ୍ଷେପକୁ ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ କହିଛନ୍ତି ଯେ, ସମ୍ପୃକ୍ତ ୨୦ ଜଣ ସାଂସଦଙ୍କ ସଦସ୍ୟତା ରଦ୍ଦ ନେଇ କରାଯାଇଥିବା ଆବେଦନ ବାଚସ୍ପତିଙ୍କ ନିକଟରେ ବିଚାରାଧୀନ ରହିଛି। ସମ୍ବିଧାନର ୯୧ତମ ସଂଶୋଧନ ଅନୁସାରେ ଏଭଳି ପୃଥକ ଗୋଷ୍ଠୀ ଗଠନର କୌଣସି ଆଇନଗତ ପ୍ରାବଧାନ ନଥିବା ବେଳେ କେଉଁ ଆଧାରରେ ସରକାର ସେମାନଙ୍କୁ ସ୍ୱତନ୍ତ୍ର ଆସନ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଥିବା ବେଳେ ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତ ଏହାକୁ ସରକାରଙ୍କ ବେଆଇନ ଆଭିମୁଖ୍ୟ ବୋଲି ଅଭିହିତ କରିଛନ୍ତି। ଆମ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ଏନ.ଡି. ଗୁପ୍ତା ବୈଠକରେ ନିଜ ଦଳର ସମସ୍ୟା ଉତ୍‌ଥାପନ କରି ସରକାରଙ୍କ ବିରୋଧରେ ଗଣତନ୍ତ୍ର ହତ୍ୟାର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ, ଆପ୍‌ର ୧୦ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୭ ଜଣଙ୍କୁ ବେଆଇନ ଭାବେ ଅପହରଣ କରାଯାଇଛି ଏବଂ ଏହି ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ସେମାନଙ୍କୁ ମଧ୍ୟ ରାଜ୍ୟସଭାରେ ପୃଥକ ଆସନ ବ୍ୟବସ୍ଥା ପ୍ରଦାନ କରାଯାଇଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ, ସୌଗତ ରାୟ, ମହୁଆ ମୈତ୍ର, ଗୌରବ ଗୋଗୋଇ, କେ. ସୁରେଶ, ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବ, ସିପିଆଇ(ଏମ)ର ଜନ୍ ବ୍ରିଟାସ, ଡିଏମକେର ତିରୁଚି ଶିବା, ଜେଡିୟୁର ସଞ୍ଜୟ ଝା, ଏନସିପି (ଏସପି) ନେତ୍ରୀ ସୁପ୍ରିୟା ସୁଲେ ଏବଂ ଆରଏସ୍‌ପିର ଏନ.କେ. ପ୍ରେମଚନ୍ଦ୍ରନ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ, ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗ ଦେଇ ଆଲୋଚନା ପରିଚାଳନା କରିଥିଲେ। ମୌସୁମୀ ଅଧିବେଶନ ପୂର୍ବରୁ ସରକାର ସମସ୍ତ ଦଳ ମଧ୍ୟରେ ସହମତି ପ୍ରତିଷ୍ଠା ପାଇଁ ପ୍ରୟାସ କରୁଥିବା ବେଳେ ଆଗାମୀ ଦିନରେ ଅନେକ ଜଟିଳ ପ୍ରସଙ୍ଗକୁ ନେଇ ସଂସଦ ସରଗରମ ରହିବା ସ୍ପଷ୍ଟ ହୋଇଛି।

SBI AD