୬ ଜଣ ଲାଞ୍ଚୁଆ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କଲେ ବିଜୟ

ଚେନ୍ନାଇ : ତାମିଲନାଡୁରେ ଦୁର୍ନୀତି ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ। ଗୁଗୁଲ୍‌ ପେ’ ମାଧ୍ୟମରେ ୨.୩୯ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସରକାର ଏକାଥରେ ୬ ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଡିଜିଟାଲ ପେମେଣ୍ଟ ଛଡ଼ା ନଗଦ ଆକାରରେ ମଧ୍ୟ ଲାଞ୍ଚ ନିଆଯାଇଥିଲା, ଯାହାର ତଦନ୍ତ କରାଯାଉଛି।

ସୂଚନା ଅନୁସାରେ, ସମ୍ପୃକ୍ତ ଅଧିକାରୀମାନେ ବିଭିନ୍ନ ପ୍ରଶାସନିକ କାମ କରାଇ ଦେବା ନାମରେ ଜଣେ ବ୍ୟକ୍ତିଙ୍କଠାରୁ ଗୁଗୁଲ୍‌ ପେ’ ମାଧ୍ୟମରେ ପ୍ରାୟ ୨.୩୯ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ବିଭାଗ ପ୍ରାଥମିକ ଯାଞ୍ଚ କରିଥିଲା। ଡିଜିଟାଲ କାରବାରର ତଥ୍ୟ ଲାଞ୍ଚ ନେବା ଅଭିଯୋଗକୁ ପ୍ରମାଣିତ କରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିର୍ଦ୍ଦେଶରେ ୭ ଜଣ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି।

ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ସରକାର କହିଛନ୍ତି, ଦୁର୍ନୀତି ପ୍ରତି କୌଣସି ପ୍ରକାର ସହନଶୀଳତା ଦେଖାଯିବ ନାହିଁ ଏବଂ ଦୋଷୀ ସାବ୍ୟସ୍ତ ହେଲେ କଡ଼ା ଶାସ୍ତି ଦିଆଯିବ। ସରକାରଙ୍କ ମତରେ, ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ବ୍ୟବହାର ବଢ଼ିଥିବା ବେଳେ ତାହାକୁ ଦୁର୍ନୀତିର ମାଧ୍ୟମ କରିବାକୁ ଦିଆଯିବ ନାହିଁ। ଏହି ଘଟଣା ପରେ ସମସ୍ତ ସରକାରୀ ବିଭାଗକୁ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ବ ରକ୍ଷା କରିବାକୁ ପୁଣି ଥରେ ନିର୍ଦ୍ଦେଶ ଦିଆଯାଇଛି। ସରକାର ଆହୁରି କହିଛନ୍ତି, ଭବିଷ୍ୟତରେ ଏଭଳି ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ।

SBI AD