୨୪ ଘଣ୍ଟାରେ ଚାଲିଗଲା ବିଜୟଙ୍କ ଅତି ଘନିଷ୍ଠ ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କ ଓଏସଡି ପଦ

ନୂଆଦିଲ୍ଲୀ, ୧୩/୦୫ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡିଭାବେ ନିଯୁକ୍ତ ହୋଇଥିବା ବିଜୟଙ୍କ ଅତି ଘନିଷ୍ଠ ଜ୍ୟୋତିଷ ରିକି ରାଧାନ ପଣ୍ଡିତ ଭେତ୍ରିଭେଲ ୨୪ ଘଣ୍ଟା ଭିତରେ ପଦରୁ ହଟିଛନ୍ତି । ରିକି ରାଧାନଙ୍କ ନିଯୁକ୍ତିକୁ ନେଇ ଟିଭିକେକୁ ମେଣ୍ଟ ସହଯୋଗୀ ଦଳର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବାକୁ ଏହି ନିଷ୍ପତ୍ତ ନେଇଛନ୍ତି ବିଜୟ । ରିକିଙ୍କ ନିଯୁକ୍ତି ରଦ୍ଦ କରିବାକୁ ସରକାର ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭବିଷ୍ୟବାଣୀ କରିଥିବା ରିକି ରାଧାନ ପଣ୍ଡିତ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ବା ଓଏସଡି ଭାବେ ନିଯୁକ୍ତ କରାଯାଇଥିଲା । ଯାହାକୁ ନେଇ ତାମିଲାନାଡ଼ୁ ରାଜନୀତିରେ ବିବାଦ ସୃଷ୍ଟି ହୋଇଥିଲା । ସହଯୋଗୀ ଦଳ ଭିସିକେ, ସିପିଆଇଏମ୍ ଏବଂ ସିପିଆଇ ଭଳି ଦଳ ଏହି ନିଯୁକ୍ତିରେ ଖୋଲାଖୋଲି ସମାଲୋଚନା କରିଥିଲେ । ଆଜି ବିଜୟ ସରକାର ଫ୍ଲୋର ଟେଷ୍ଟ ଦେଇଥିଲେ । ଏହା ପୂର୍ବରୁ ମନ୍ତ୍ରୀ ନିର୍ମାଲ କୁମାର କହିଥିଲେ ପଣ୍ଡିତ ରିକି ରାଧାନ ଦଳର ପ୍ରବକ୍ତା ଅଟନ୍ତି । ସେଥିପାଇଁ ତାଙ୍କୁ ଓଏସଡି ଭାବେ ନିଯୁକ୍ତି ମଳିଛି । କୌଣସି ବି ବ୍ୟକ୍ତିଙ୍କୁ ଓଏସଡି ନିଯୁକ୍ତ କରାଯାଇ ପାରେ ବୋଲି ସେ ସଫେଇ ଦେଇଥିଲେ । ଯାହାକୁ ନେଇ ମେଣ୍ଟ ଦଳ ଗୁଡ଼ିକର ମଧ୍ୟ ସମାଲୋଚନାର ଶୀକାର ହେବାକୁ ପଡ଼ିଛି ।

ସେହିପରି ଭିସିକେ ସଚିବ ପ ଶନଗୁମନ କହିଥିଲେ ବୈଜ୍ଞାନିକ ଚିନ୍ତାଧାରା ଏବଂ ବିଚାର ଯୁକ୍ତ ଚିନ୍ତାଧାରାକୁ ଗ୍ରହଣ କରିବା ସରକାରଙ୍କ ଦାୟିତ୍ୱ । କିନ୍ତୁ କୌଣସି ବି ଜ୍ୟୋତିଷଙ୍କୁ ସରକାରୀ ପଦରେ ନିଯୁକ୍ତ ଦେବା କେବଳ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେବା ଛଡ଼ା ଆଉ କିଛି ନୁହେଁ । ତାମିଲନାଡ଼ୁ ବିଧାନସଭାରେ ଆଜି ଅନୁଷ୍ଠିତ ଆସ୍ଥା ଭୋଟରେ ବହୁମତ ସାବ୍ୟସ୍ତ କରିଛି ଟିଭିକେ ମେଣ୍ଟ ସରକାର । ବିଜୟଙ୍କ ସରକାରକୁ ୧୪୪ ବିଧାୟକଙ୍କ ସମର୍ଥନ ମିଳିଛି । ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜୟଙ୍କ ସରକାରକୁ ବହୁମତ ସାବ୍ୟସ୍ତ ପାଇଁ ୧୧୮ ସମର୍ଥନ ଦରକାର ଥିଲା । ଆସ୍ଥା ଭୋଟରେ ବିଜୟୀ ସରକାରକୁ କଂଗ୍ରେସ, ସିପିଆଇ, ସିପିଆଇ ଏମ, ଭିସିକେ ଓ ଆଇୟୁଏମଏଲ ସରକାରଙ୍କୁ ସମର୍ଥନ ଦେଇଛନ୍ତି ଆସ୍ଥା ଭୋଟ୍ ସମୟରେ ଗୃହରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିବା ବେଳେ ଡିଏମକେ ଭୋଟିଂରୁ ବିରତ ରହି କକ୍ଷତ୍ୟାଗ କରିଛି । ଅନ୍ୟପଟେ ବିଜେପି ଓ ପିଏମକେ ଭୋଟିଂରୁ ଦୂରେଇ ରହିଥିଲେ । ହେଲେ ଅସଲ ଖେଳ ତେବେ ଘଟିଲା ଯେତେବେଳେ ଏଆଇଏଡିଏମକେର ବିଦ୍ରୋହୀ ଗୋଷ୍ଠୀ ବିଜୟଙ୍କ ସମର୍ଥନରେ ଭୋଟିଂ ଦେବାକୁ ଘୋଷଣା କରିଥିଲେ । ରିପୋର୍ଟ ଅନୁଯାୟୀ, ଏଆଇଏଡିଏମକେରେ ଏସପି ବେଲୁମଣିଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀକୁ ପାର୍ଟିର ୪୭ରୁ ପ୍ରାୟ ୩୦ ବିଧାୟକଙ୍କ ସମର୍ଥନ ରହିଛି । ଏଥିରୁ ଅତି କମରେ ୨୬ ବିଧାୟକ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି । ରିକି ରାଧାନ ପଣ୍ଡିତ ବର୍ଷକ ପୂର୍ବେ ବିଜୟଙ୍କ ବୃହତ ବିଜୟ ନେଇ ଭବିଷ୍ୟବାଣୀ କରିଥିଲେ । ବାରମ୍ବାର ସରକାର ଗଢ଼ିବାକୁ ରାଜ୍ୟପାଳ ଅନୁମତି ଦେବାକୁ ମନା କରିବା ସତ୍ତ୍ୱେ ରିକି ରାଧାନ ନିଜ ବୟାନରେ ଅଟଳ ରହିଥିଲେ ।