ବିଜେପି ପକ୍ଷରୁ ଆସନ୍ତା ୧୮ରେ ବିଶାଳ ଇ-ବାଇକ ରାଲି

ଭୁବନେଶ୍ୱର, ୧୩/୦୫ : ବିଜେପି ପକ୍ଷରୁ ଆସନ୍ତା ୧୮ ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ଇ-ବାଇକ ରାଲି ଆୟୋଜନ କରାଯିବ। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଓଡ଼ିଶା ପ୍ରଥମ ଗସ୍ତକୁ ସ୍ମରଣୀୟ କରିବା ପାଇଁ ଏହି ବିଶେଷ ଆୟୋଜନ କରାଯାଉଛି। ରାଲିଟି ଭୁବନେଶ୍ୱର ବିମାନବନ୍ଦରରୁ ଆରମ୍ଭ ହୋଇ ଜଟଣୀ ପର୍ଯ୍ୟନ୍ତ ଯିବ। ଜଟଣୀରେ ଦଳୀୟ କର୍ମୀ ଓ ନେତାମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରାଯିବ। ଏହି ଶିବିରରେ ଦଳର ଆଗାମୀ କାର୍ଯ୍ୟଯୋଜନା ଓ ସଂଗଠନ ମଜବୁତିକରଣ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଞ୍ଚୟ ଓ ଖର୍ଚ୍ଚ କମେଇବା ଆହ୍ୱାନକୁ ଧ୍ୟାନରେ ରଖି ଇ-ବାଇକ ରାଲିର ଯୋଜନା କରାଯାଇଛି। ବିଶ୍ୱ ଅର୍ଥନୀତିର ଚ୍ୟାଲେଞ୍ଜ ମଧ୍ୟରେ ପରିବେଶ ସୁରକ୍ଷା ଓ ସଞ୍ଚୟର ସନ୍ଦେଶ ଦେବା ଏହି ରାଲିର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ନିତିନ ନବୀନଙ୍କ ଏହି ଗସ୍ତ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ସହ ସଂଗଠନକୁ ଅଧିକ ସକ୍ରିୟ କରିବ। ଜଟଣୀରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ସେ କର୍ମୀମାନଙ୍କୁ ସମ୍ବୋଧନ କରିବେ। ଏହାଛଡ଼ା ଭୁବନେଶ୍ୱରରେ ଦଳର କୋର କମିଟି ଓ ରାଜ୍ୟ ମନ୍ତ୍ରିମଣ୍ଡଳ ସହ ବିଶେଷ ବୈଠକରେ ମଧ୍ୟ ନିତିନ ନବୀନ ଯୋଗଦେବେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ତିନିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ନିତିନ ନବୀନଙ୍କ ଏହି ଓଡ଼ିଶା ଗସ୍ତକୁ ରାଜନୈତିକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।