ପ୍ରଣବଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଗିରଫ ହେବେ ଅଭିଯୁକ୍ତ : ଏସପି

ଭୁବନେଶ୍ୱର, ୦୫/୧୦ : ପ୍ରଣବଙ୍କ ଉପରେ ଆକ୍ରମଣ ଘଟଣାର ଅଭିଯୁକ୍ତ ୪୮ ଘଣ୍ଟାରେ ହେବେ ଗିରଫ । ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲ । ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ ନେଇ FIR ହୋଇଛି । ସିସିଟିଭି, ମୋବାଇଲ ଫୁଟେଜ ଯାଞ୍ଚ ଚାଲିଛି । ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏସପି ଙ୍କ ପ୍ରତିଶ୍ରୁତି ପରେ ବିଜେଡି ନେତା ଓ କର୍ମୀ ଧାରଣାରୁ ଉଠିଥିଲେ । ବିଜେଡି ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାର ଓ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଖୋଲା ଦିବାଲୋକରେ ଜନପ୍ରତିନିଧିଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ପୋଲିସ ଓ ସରକାର କାହିଁକି ନିରବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୋସିଆଲ ମିଡିଆ ହ୍ୟାଣ୍ଡେଲ Xରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ଜେନାପୁର ଥାନା ମଧୁପୁରଗଡ଼ରେ ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ପୋଲିସ ଉପସ୍ଥିତିରେ ଜଣେ ଜନପ୍ରତିନିଧିଙ୍କ ଉପରେ ଏଭଳି ଆକ୍ରମଣ ହେବାକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ଅପରାଧୀଙ୍କୁ ଏ ସାହସ କିଏ ଦେଉଛି? ଓଡ଼ିଶାରେ ଆଇନର ଶାସନ ଚାଲିଛି ନା ଗୁଣ୍ଡାଙ୍କର? ବୋଲି ପ୍ରଶ୍ନ କରି ଛନ୍ତି ନବୀନ । ବର୍ତ୍ତମାନ ସରକାରରେ ଜନପ୍ରତିନିଧି ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷା ମଧ୍ୟ ପ୍ରଭାବିତ ହୋଇଛି । ଧର୍ମଶାଳା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ କରି ସେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କରିବାକୁ ସରକାର ଚାହୁଁଛନ୍ତି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଏପରି ଅପରାଧିକ କାର୍ଯ୍ୟ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପଚାରିବା ସହ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀ ସବୁକିଛି ଦେଖୁଛନ୍ତି ଏବଂ ସବୁର ହିସାବ ରଖୁଛନ୍ତି । ଏଭଳି ଅରାଜକତା ଓ କୁଶାସନର ଲୋକେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।