ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ମ୍ୟାଚ ପରେ ଉତ୍ସବ ପାଇଁ ହେବ ନିୟମ

ନୂଆଦିଲ୍ଲୀ, ୧୫/୦୬ : ବିସିସିଆଇ ଶୀର୍ଷ ପରିଷଦ ବୈଠକରେ ଅହମ୍ମଦାବାଦ ଓ ବେଙ୍ଗାଲୁରୁରେ ଘଟିଥିବା ଦୁଃଖଦ ଘଟଣାରେ ଶୋକ ବ୍ୟକ୍ତ କରିଛି । ବେଙ୍ଗାଲୁରୁରେ ବିଜୟ ସମାରୋହ ସମୟରେ ଘଟିଥିବା ଦୁଃଖଦ ଘଟଣାକୁ ଦୃଷ୍ଟିରେ ରଖି ବିସିସିଆଇ ଭବିଷ୍ୟତରେ ଏମିତି ଘଟଣାକୁ ରୋକିବା ପାଇଁ ବ୍ୟାପକ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଏକ କମିଟି ଗଠନ କରିବାକୁ ନିର୍ଣ୍ଣୟ ନେଇଛି । କମିଟି ୧୫ ଦିନ ଭିତରେ ଗାଇଡଲାଇନ୍ ପ୍ରସ୍ତୁତ କରି ବିସିସିଆଇକୁ ପ୍ରଦାନ କରିବ । ଜୁନ୍ ୪ ତାରିଖରେ ଆରସିବି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ପ୍ରାୟ ଦେଢଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା । ଯେଉଁଥି ପାଇଁ ୧୧ ଜଣ ପ୍ରଶଂସକଙ୍କ ମ୍ତ୍ୟୁ ହୋଇଥିବା ବେଳେ ୫୬ ଜଣ ଆହତ ହୋଇଥିଲେ । ବେଙ୍ଗାଲୁରୁରେ ବିଜୟ ଉତ୍ସବ ସମୟରେ ହୋଇଥିବା ଏହି ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି, ଯାହା ଭବିଷ୍ୟତରେ ଏପରି ଦୁର୍ଘଟଣା ରୋକିବା ପାଇଁ କଡ଼ା ନିୟମ ଏବଂ ସୁରକ୍ଷା ମାନଦଣ୍ଡ ପ୍ରସ୍ତୁତ କରିବ। କମିଟି ଭିଡ଼ ପରିଚାଳନା, ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥା, ଏବଂ ଉତ୍ସବ ସମୟରେ ସୁରକ୍ଷା ନିଶ୍ଚିତ କରିବା ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରିବ। କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ମାମଲାର ଯାଞ୍ଚ କରିବା ପାଇଁ ସେବାନିବୃତ୍ତ ଆୟୋଗ ଗଠନ କରିଛନ୍ତି । ଏହି ମାମଲାରେ ଆରସିବି ଏବଂ ରାଜ୍ୟ କ୍ରିକେଟ ସଂଘ ବିପକ୍ଷରେ ଅଭିଯୋଗ ଦାୟର ହୋଇଛି । ଦୁଲୀପ ଟ୍ରଫିକୁ ପୁରୁଣା ଫର୍ମାଟରେ ଫେରାଇ ଅଣାଯିବା ସହିତ, ରଣଜୀ ଟ୍ରଫି ୨୦୨୫-୨୬ (ରଣଜୀ ଟ୍ରଫି ଆରମ୍ଭ ତାରିଖ)ର ଆରମ୍ଭ ତାରିଖ ମଧ୍ୟ ପ୍ରକାଶ ପାଇଛି । ରଣଜୀ ଟ୍ରଫି ଅକ୍ଟୋବର ୧୫ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଖେଳାଯିବ ।