ଭୁବନେଶ୍ୱର, ୦୮/୦୪, (ପ୍ରଦୀପ୍ତ କୁମାର ଦାସ) : ଲୋକାଭିମୁଖୀ ପୋଲିସ ସେବା ଯୋଗାଇଦେବା କ୍ଷେତ୍ରରେ ଉଇ କେଆର ଉଇ ଡେଆର ବାର୍ତ୍ତା ବାଣ୍ଟି ଆସୁଛି କମିଶନରେଟ ପୋଲିସ। ଏହି କ୍ରମରେ ଉତ୍ତମ ମାନର ପୋଲିସ ସେବା ଯୋଗାଇବା କ୍ଷେତ୍ରରେ ଲୋକଙ୍କ ସହ ବନ୍ଧୁ ଭାବେ ଦାୟିତ୍ୱ ତୁଲାଇବାକୁ ବିଭାଗୀୟ ମୁଖିଆମାନେ ସବୁବେଳେ ଅଧସ୍ତନ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ମଧ୍ୟ ଦେଇ ଆସୁଛନ୍ତି। ସେଥିପାଇଁ ଖାସ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଥିବା କମିଶନରେଟ ପୋଲିସ ମୁଖ୍ୟାଳୟକୁ ଲୋକଙ୍କ ପାଇଁ ପୋଲିସ ସେବା ଭବନରେ ମଧ୍ୟ ନାମିତ କରାଯାଇଛି। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ଭିର୍ନ୍ନ ପରିଲକ୍ଷିତ ହେଉଛି। ଖୋଦ ନିଜସ୍ୱ ଅଫିସିଆଲ ସାଇଟରେ ଲୋକଙ୍କୁ ମୌଳିକ ସେବା ଯୋଗାଇଦେବା କ୍ଷେତ୍ରରେ ଆବଶ୍ୟକ ଯୋଗାଯୋଗ ତଥା ସମ୍ପର୍କର ସେତୁ ଭାବେ ପରିଗଣିତ ହେଉଥିବା ଅନେକ ଗୁରୁତ୍ୱପୂର୍ଣ ଫୋନ ନମ୍ବର ଓ ମେଲ ଆଇଡିକୁ ବିଭାଗ ପକ୍ଷରୁ କିପରି ଅଣଦେଖା କରଯାଉଛି ତାର ଜ୍ୱଳନ୍ତ ନଜୀର ଦେଖିବାକୁ ଦେଖିବାକୁ ମିଳିଛି ଏଥିରେ। ତାହାହେଲା ବିଭାଗୀୟ ଅଫିସିଆଲ ସାଇଟରେ ଥିବା ଗୁରୁତ୍ୱପୂର୍ଣ୍ଣ କଣ୍ଟାକ୍ଟ ନମ୍ବର ତାଲିକାରୁ ପ୍ରାୟ ୪୮ ଜଣ ପଦାଧିକାରୀଙ୍କ ଫୋନ ନମ୍ବର ଓ ଇମେଲ ଆଇଡି ଉଭାନ ହୋଇଯିବା ଘଟଣା।ଖାଲି ସେତିକି ନୁହେଁ ସେଥିରେ ବିଭାଗୀୟ ପଦସ୍ଥ ଅଧିକାରୀ ମାନଙ୍କର ଅଫିସ ଠିକଣାର ସୂଚନା ମଧ୍ୟ କେତେକାଂଶରେ ଅଦୃଶ୍ୟ ହୋଇରହିଛି।ଦୀର୍ଘ ବର୍ଷାଧିକକାଳ ସେଥିରେ ଏଭଳି ଗୁରୁତର ବ୍ୟତିକ୍ରମ ପରିଲକ୍ଷିତ ହୋଇଆସୁଥିବା ଦେଖାଯାଉଛି ମାତ୍ର ଏହି ଦାୟିତ୍ୱରେ ଥିବା ବାବୁ ମାନଙ୍କର ସେଥିପ୍ରତି ନିଘା ନାହିଁ।
ପୂର୍ବରୁ ଏଥିରେ ଥିବା କ୍ରମିକ ନମ୍ବର,ନାମ,ପଦବୀ, ଅଫିସ ଫୋନ ନମ୍ବର ସହ ପଦସ୍ଥ ଅଧିକାରୀ ମାନଙ୍କର ସିୟୁଜି ମୋବାଇଲ ନମ୍ବର, ଲ୍ୟାଣ୍ଡ ଲାଇନ ଫୋନ ନମ୍ବର ଓ ଅଫିସ ଠିକଣା ବାବଦରେ ସ୍ପଷ୍ଟ ସୂଚନା ଉପଲବ୍ଧ ହେଉଥିଲା।ଏଥିରେ ପୋଲିସ କମିଶନର,ଅତିରିକ୍ତ ପୋଲିସ କମିଶନରଙ୍କ ସମେତ କମିଶନରେଟ ପୋଲିସର ଭିର୍ନ୍ନ ଭିର୍ନ୍ନ ବିଭାଗ ଦାୟିତ୍ୱରେ ଥିବା ୧୫ ଜଣ ଡିସିପି,୧୦ ଜଣ ଅତିରିକ୍ତ ଡିସିପି,୧୭ ଜଣ ଏସିପି,ପିଆରଓ ଦାୟିତ୍ୱରେ ଥିବା ଜଣେ ଏସିପି,ଜଣେ ପ୍ରଶାସନିକ ଅଧିକାରୀ, ଜଣେ ଆକାଉଣ୍ଟ୍ସ ଅଫିସର, ଜଣେ ଲ ଅଫିସରଙ୍କ ତାଲିକା ମଧ୍ୟ ରହିଛି।ଏହା ବ୍ୟତୀତ ଉକ୍ତ ୪୮ ଜଣ ପଦାଧିକାରୀଙ୍କୁ ଛାଡ଼ି ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକର ୬ ଜଣ ଲେଖାଏଁ ମିଶି ମୋଟ ୧୨ ଜଣ ଏସିପି ୧୨ ଗୋଟି ସବଡିଭିଜନ ଦାୟିତ୍ୱରେ ରହିଥିବା ମଧ୍ୟ ଏହି ତାଲିକାରେ ଉପଲବ୍ଧ।ମାତ୍ର ଘୋର ବିଡମ୍ବନାର କଥା ଯେ ଏହି ତାଲିକାରେ କେବଳ ସବଡ଼ିଭିଜନ ଦାଇତ୍ୱରେ ଥିବା ଉକ୍ତ ୧୨ ଜଣ ଏସିପିଙ୍କ ସିୟୁଜି ମୋବାଇଲ ଫୋନ ନମ୍ବର ଓ ଇମେଲ ଆଇଡି ବାବଦରେ ସୂଚନା ରହିଥିବା ସ୍ଥଳେ ସମ୍ପୃକ୍ତ ୪୮ ଜଣ ପଦସ୍ଥ ଅଧିକାରୀଙ୍କ କୌଣସି ଫୋନ ନମ୍ବର ଓ ଅଫିସ ଇମେଲ ଆଇଡି ସୂଚିତ ହୋଇନାହିଁ।ପ୍ରାୟ ବର୍ଷେ ପୂର୍ବେ ଉକ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନାସବୁ ଏହି ତାଲିକାରେ ଉପଲବ୍ଧ ଥିଲା।ଏହା ଦ୍ୱାରା ଜନସାଧାରଣ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସେବା ଦାୟିତ୍ୱରେ ଥିବା ପଦସ୍ଥ ଅଧିକାରୀଙ୍କ ସହ ସିଧାସଳଖ ସହଜରେ ଯୋଗାଯୋଗ ଉଦ୍ୟମ କରି ନିଜ ପାଇଁ ସେବା ଲୋଡ଼ିପାରୁଥିଲେ।
ତେବେ କେଉଁ ଅଦୃଶ୍ୟ କାରଣରୁ ଲୋକଙ୍କ ସେବା ଉର୍ଦ୍ଦେଶ୍ୟରେ ବିଭଗୀୟ ଡିଜିଟାଲ ପ୍ଲାଟଫର୍ମରେ ସାର୍ବଜନୀନ ହୋଇଥିବା ଏସବୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଉକ୍ତ ତାଲିକାରୁ ଉଭାନ ହୋଇଗଲା ସେନେଇ କମିଶନରେଟ ପୋଲିସର ଉତ୍ତରଦାୟୀତ୍ୱ,ଭାବମୂର୍ତ୍ତି ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ଏନେଇ ପୋଲିସ କମିଶନର ଏସ ଦେବଦତ୍ତ ସିଂଙ୍କ ସହ ଯୋଗାଯୋଗକରି ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଉଦ୍ୟମ କରାଯାଇଥିଲା।ତେବେ ସେ ଏଦିଗରେ ବିହିତ ପଦକ୍ଷେପ ନେବା ସହ ଏହାକୁ ଅପଡେଟ କରାଯିବ ବୋଲି କହିଥିଲେ