ଆଜି ବିଜେପି ପକ୍ଷରୁ ୮ଘଣ୍ଟିଆ ବରଗଡ଼ ବନ୍ଦ ପାଳନ

ବରଗଡ଼,୧/୧୧: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗସ୍ଥିତ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ତାତି ବରଗଡ଼ରେ ଦେଖିବାକୁ ମିଳିଛି। ଏହି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଏବଂ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ ଟାରୁ ୨ଟା ଯାଏଁ ବରଗଡ଼ ବନ୍ଦ ପାଳନ ହେଉଛି। ବରଗଡ଼ରେ ତୋରାର ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ନେଇ ବିଜେପି ଏହି ବନ୍ଦ ଡାକରା ଦେଇଛି।

ଆଜି ସକାଳୁ ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ତେତୃତ୍ୱରେ ରବିନାରାୟଣ ଦାଶ ଓ କିଶୋର ମିଶ୍ରଙ୍କ ସମେତ ଅଧିକାଂଶ ନେତା ଓ କର୍ମୀମାନେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି। ଆଜି ବନ୍ଦର ପ୍ରଭାବ ବରଗଡ଼ରେ ଦେଖିବାକୁ ମିଳିଛି। ସହରରେ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ସରକାରୀ ଓ ବେସରକାରୀ ଅଫିସ୍ ଏବଂ ସ୍କୁଲ କଲେଜ ବନ୍ଦ ଥିବାର ସୂଚନା ମିଳିଛି।