IAS ଦିବ୍ୟା ମିତ୍ତଲଙ୍କ ଇସ୍ତଫା ପରେ ରାଜନୀତି ତୀବ୍ର : ରାହୁଲ ଗାନ୍ଧୀଙ୍କ ସହିତ ସାକ୍ଷାତ

ଉତ୍ତର ପ୍ରଦେଶ ନିର୍ବାଚନରେ ଭୂମିକାକୁ ନେଇ ଚର୍ଚ୍ଚା

ଲକ୍ଷ୍ନୌ : ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଛନ୍ତି। ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ରବିବାର ସୋସିଆଲ ମିଡିଆ ପୋଷ୍ଟରେ ଚାକିରିରୁ ଇସ୍ତଫା ଦେବାର ଘୋଷଣା କରିଥିଲେ। ଦିବ୍ୟା ମିତ୍ତଲଙ୍କ ଇସ୍ତଫା ଖବରକୁ ନେଇ ରାଜନୈତିକ ବିତର୍କ ଆରମ୍ଭ ହୋଇଯାଇଛି। ଦିବ୍ୟାଙ୍କ ଇସ୍ତଫାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ସାକ୍ଷାତ ଓ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହିତ ଯୋଡ଼ି ଦେଖାଯାଉଛି।

ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ତଥା ଦେଓରିଆ, ମିର୍ଜାପୁର ଏବଂ ସନ୍ଥ କବୀର ନଗର ଜିଲ୍ଲାର ପୂର୍ବତନ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦିବ୍ୟା ମିତ୍ତଲଙ୍କ ଇସ୍ତଫାକୁ ନେଇ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଏହି ସରକାରରେ ଦୁର୍ନୀତି ଏତେ ବ୍ୟାପକ ଯେ ସଚ୍ଚୋଟ ଅଧିକାରୀମାନେ କାମ କରିପାରୁନାହାନ୍ତି। ସେମାନେ ଇସ୍ତଫା ଦେଉଛନ୍ତି।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ପ୍ରଶାନ୍ତ ଉମରାଓ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ, ଦିବ୍ୟା ମିତ୍ତଲ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପରେ ଇସ୍ତଫା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ଦିବ୍ୟାଙ୍କ ଇସ୍ତଫା ପଛରେ ଉଦ୍ଦେଶ୍ୟ ୟୁପି ନିର୍ବାଚନରେ ​​କଂଗ୍ରେସର ଏଜେଣ୍ଡାକୁ ଆଗକୁ ବଢାଇବା। ଆଇଏଏସ୍ ହେବା ପୂର୍ବରୁ ଦିବ୍ୟା ମିତ୍ତଲ ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ୍‌ ବାଙ୍ଗାଲୋରରେ ପାଠ ପଢ଼ି ଲଣ୍ଡନରେ ଚାକିରି କରିଥିଲେ।