କେନ୍ଦ୍ର କ୍ୟାବିନେଟ୍‌ରେ ୩ କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ, ୨୪/୧୧: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି । ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ବିବାଦୀୟ ୩ଟି କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ ଲାଗିଛି କ୍ୟାବିନେଟ୍‌ର ମୋହର । କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଅପରାହ୍ନ ୩ଟା ସମୟରେ ପ୍ରେସ୍‌ମିଟ୍‌ କରି ଏବିଷୟରେ ସବିଶେଷ ସୂଚନା ଦେଇପାରନ୍ତି ।

ଗତବର୍ଷେ ହେଲା ଦେଶରେ ୩ଟି କୃଷି ଆଇନ୍‌କୁ ନେଇ ସାରାଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏପରିକି ଦିଲ୍ଲୀ ସୀମାରେ ପାଖାପାଖି ବର୍ଷେ ହେଲା ଚାଷୀମାନେ ଧାରଣାରେ ବସିଥିଲେ । ଶେଷରେ ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ଭୋଧିତ କରି ବିବାଦୀୟ ୩ଟି କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ଆଉ ଏବେ କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମୋହର ଲାଗିଛି । ଏହାପରେ ସଂସଦର ଉଭୟ ଗୃହରେ ଏହି ପ୍ରସ୍ତାବକୁ ପାରିତ କରାଯିବ ।