ଆଜି ଶ୍ରୀମନ୍ଦିର ‘ପରିକ୍ରମା ପ୍ରକଳ୍ପ’ର ହେବ ଆରମ୍ଭ : ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ,୨୪/୧୧: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭାରମ୍ଭ । ଏଥିପାଇଁ ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯିବ । ଏଥିସହ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ ଆସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ସଜେଇ ଦିଆଯାଇଛି । ଶ୍ରୀମନ୍ଦିର ଚାରିପଟେ କ’ଣ ସବୁ ବ୍ୟବସ୍ଥା କରାଯିବ ଓ କିଭଳି ଏହା ଭକ୍ତଙ୍କ ସୁବିଧାରେ ଲାଗିବ, ଆସନ୍ତୁ ଜାଣିବା ।

* ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷଣ ପଥ-ଚାରିପାଖରେ ଥିବା ମଠ ଓ ମନ୍ଦିରର ପୁନଃବିକାଶ
* ରଥଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷଣ ପଥ
* ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ଗୃହ ନିର୍ମାଣ
* ଭକ୍ତଙ୍କ ପାଇଁ ସମସ୍ତ ଦ୍ୱାରରେ ସୂଚନା ଓ ଦାନ କେନ୍ଦ୍ର
* ସେବାୟତ ତଥା ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା
* ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବାକେନ୍ଦ୍ର
* ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଏଟିଏମ ଆଦିର ବ୍ୟବସ୍ଥା
* ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ
* ଏକସଙ୍ଗେ ୬ ହଜାର ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ
* ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ

 

ଗଜପତି ମହାରାଜ ପୂର୍ଣ୍ଣାହୁତି ଓ ଶିଳାନ୍ୟାସ କରିବାକୁ ଥିବା ବେଳେ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ମୁଖ୍ୟମନ୍ତ୍ରୀ ଅନାବରଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବଡ଼ଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଉଭୟ ପାଖରେ ବ୍ୟାରିକେଡ ସହ ‘ନୋ ଭେଇକିଲ ଜୋନ୍’ ଏବଂ ଦୋଳବେଦୀରୁ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ ଘୋଷଣା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ କାଲି ସମ୍ମାନିତ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି ।