ଭୁବନେଶ୍ୱର, ୧୮/୦୯ : ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ଆଜି ମାନ୍ୟବର ବିଚାରପତି ଜଷ୍ଟିସ ଆର୍.କେ. ପଟ୍ଟନାୟକଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ମାମଲାରେ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି । ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ମାମଲା ଦାୟର କରିଛନ୍ତି । ରମାକାନ୍ତ ଭୋଇ, ସୁବାସିନୀ ଜେନା, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର, ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ସମେତ ବିଧାନସଭା ବାଚସ୍ପତିଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି ।
ଗତ ମାର୍ଚ୍ଚରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଉପରୋକ୍ତ ୮ ବିଧାୟକ ଦଳୀୟ ହ୍ୱିପ୍ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିବା ବିଜେଡି ଅଭିଯୋଗ କରିଥିଲା । ଏହାକୁ ଆଧାର କରି ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦଳ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ ଜୁନ୍ ୨୨ରେ ବାଚସ୍ପତି ସୁରମା ପାଢ଼ୀ ଏହି ଆବେଦନକୁ ଖାରଜ କରିଥିଲେ। ଆବେଦନରେ ଆବଶ୍ୟକ ତଥ୍ୟ, ପ୍ରମାଣ ଓ ସତ୍ୟପାଠ ନଥିବା ଦର୍ଶାଇ ବାଚସ୍ପତି ଆବେଦନକୁ ସମ୍ପୂର୍ଣ୍ଣ ନୁହେଁ ବୋଲି ବିବେଚନା କରିଥିଲେ । ବିଧାନସଭା ରୂଲ୍-୬ର ସବ୍ ରୂଲ୍-୬ ଓ ୭ ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରାଯାଇନଥିବାରୁ ଆବେଦନ ଖାରଜ କରାଯାଇଥିବା ବାଚସ୍ପତି କହିଥିଲେ।ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ପ୍ରତିପକ୍ଷଙ୍କ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଆସନ୍ତା ୨୯ ତାରିଖର ଶୁଣାଣି ଉପରେ ନଜର ରହିଛି ।