ପୁରୀ : ତିନି ରଥର ନିର୍ମାଣ କାର୍ଯ୍ୟ ସରିଥିବାବେଳେ କେବଳ ପ୍ରଭା ଲାଗିବା ବାକି ରହିଛି। ଅନ୍ୟପଟେ ରଙ୍ଗ କାର୍ଯ୍ୟ ବି ଶେଷ ହୋଇଛି। କେବଳ କନା ପଡ଼ିବା ବାକି ଥିବାବେଳେ ଆଜିଠାରୁ ଏହି କାର୍ଯ୍ୟ ଅନୁକୂଳ ହୋଇଛି। ଦରଜୀ ସେବକମାନେ ଆଜି ତିନି ରଥର ଦୁଆର ବେଢ଼ାରେ କନା ପକାଇଛନ୍ତି। କୋଠ ସୁଆଁସିଆ ସେବକଙ୍କ ଦ୍ବାରା ପ୍ରଥମେ ତାଳଧ୍ବଜ ରଥର ଚାରି ଦୁଆର ବେଢାରେ କନା ପଡ଼ିଥିଲା। ପରେ ନନ୍ଦିଘୋଷ ରଥ ଓ ଦେବଦଳନ ରଥର ଚାରି ଦୁଆର ବେଢ଼ାରେ କନା ପଡ଼ିଛି। ସେପଟେ ତିନିରଥର ଦରଜୀ ସେବକମାନେ ଚିକ୍କଣ ଜରି ଫୁଲ ଲେସ ପଡ଼ି ତିଆରି ହୋଇଥିବା ବତା କନାଗୁଡିକ ଯୋଡ଼ିବା କାର୍ଯ୍ୟ ଶେଷ କରିଛନ୍ତି।
ତିନି ରଥର କନକମୁଣ୍ଡି ପାଇଁ ପିତଳ ସଜ ସଫା ହୋଇଛି। ଆଜି ଏହା ରଥର କନକମୁଣ୍ଡିରେ ଲାଗିବ। ସେପଟେ ଆଜି ତିନି ରଥର ପ୍ରଭା ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦରଜୀ ସେବକ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ସୂଚନା ମୁତାବକ, ଆଜି ଦୁଆର ବେଢ଼ା, ଚନ୍ଦ୍ରଶାଳୀ, ଅଁଳା ସିଡି କନା ରଥରେ ଲାଗିଛି। ପରେ ମେଣ୍ଢା ମୁଣ୍ଡିଆ, ମଗରବତା କନା ଆଦି ଲାଗିବ। ଏହାସହ ଚାନ୍ଦୁଆ ଓ ଅନ୍ୟାନ୍ୟ କାମ ଜାରି ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।