ଓଭାଲ,୫/୯: ଓଭାଲ ଟେଷ୍ଟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ନାଟକୀୟ ମୋଡରେ ଆସି ପହଞ୍ଚି ଯାଇଛି। ଭାରତ ଦ୍ଵିତୀୟ ଇନିଂସରେ ୪୬୬ ରନ କରିବା ପରେ ଇଂଲଣ୍ଡକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩୬୮ ରନ ବିଜୟ ଲକ୍ଷ୍ୟ ମିଳିଛି। ଏହାକୁ ପିଛା କରିବାକୁ ଯାଇ ଇଂଲଣ୍ଡ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା କୌଣସି ଓ୍ଵିକେଟ୍ ନହରାଇ ୭୭ ରନ କରିଛି। ଫଳରେ ମ୍ୟାଚ୍ର ଶେଷ ଦିନର ଖେଳ ରୋମାଞ୍ଚକର ମୋଡରେ ଆସି ପହଞ୍ଚି ଯାଇଛି। କ୍ରିଜରେ ରରି ବର୍ଣ୍ଣ୍ସ ୩୧ ଓ ହାସିମ ଅହମ୍ମଦ ୪୩ ରନରେ ଅପରାଜିତ ଅଛନ୍ତି। ଦଳକୁ ଜିତିବାକୁ ୨୯୧ ରନ ଦରକାର ଥିବା ବେଳେ ହାତରେ ରହିଛି ୧୦ ଓ୍ଵିକେଟ୍। ଯଦି ସୋମବାର ପ୍ରଥମ ସେସନରେ ଇଂଲଣ୍ଡ କୌଣସି ଓ୍ଵିକେଟ୍ ନହରାଏ ତେବେ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ରୋହିତ ଶର୍ମାଙ୍କ ୧୨୭ ଏବଂ ଚେତେଶ୍ଵର ପୂଜାରାଙ୍କ ୬୧ ରନର ଇନିଂସ ପରେ ଚତୁର୍ଥ ଦିନରେ ଭାରତର ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରି ଭାରତକୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ଅଧିନାୟକ ବିରାଟ କୋହଲି ୪୪ ରନ କରି ଆଉଟ୍ ହେବା ପରେ ଋଷଭ ପନ୍ତ ଏବଂ ଶାର୍ଦ୍ଦୁଳ ଠାକୁର ଆକର୍ଷଣୀୟ ବ୍ୟାଟିଂ କରି ଦଳର ସ୍ଥିତି ଆହୁରି ମଜବୁତ କରିଥିଲେ। ଉଭୟ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡିଥିଲେ। ପନ୍ତ ୫୦ ରନ ଏବଂ ଶାର୍ଦ୍ଦୁଳ ଠାକୁର ୬୦ ରନର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଉମେଶ ଯାଦବ ୨୫ ଏବଂ ବୁମରା ୨୫ ରନ କରିଥିଲେ। ଭାରତ ଦିନର ଶେଷ ସେସନ ଆରମ୍ଭରେ ୪୬୬ ରନରେ ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୯୯ ରନର ଅଗ୍ରଣୀ ହାସଲ କରିଥିବାରୁ ଦଳ ସମ୍ମୁଖରେ ରହିଛି ୩୬୮ ରନର ବିଜୟ ଲକ୍ଷ୍ୟ।
ଏହାକୁ ପିଛା କରି ଦୁଇ ଓପନର ରରି ବର୍ଣ୍ଣ୍ସ ଓ ହାସିମ ଅହମ୍ମଦ ଦଳକୁ ଭଲ ଆରମ୍ଭ ଦେଇଛନ୍ତି। ଭାରତୀୟ ବୋଲରଙ୍କୁ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା କୌଣସି ସୁଯୋଗ ଦେଇ ନାହାନ୍ତି। ଅବିଭାଜିତ ପ୍ରଥମ ଓ୍ଵିକେଟ୍ରେ ୭୭ ରନ ଯୋଡି ଇଂଲଣ୍ଡ ପାଇଁ ବିଜୟ ଆଶା ସଞ୍ଚାର କରିଛନ୍ତି ଦୁଇ ଓପନର। ରରି ୩୧ ଏବଂ ହାସିବ ୪୩ ରନରେ ଅପରାଜିତ ଅଛନ୍ତି। ଭାରତୀୟ ବୋଲର ଓ୍ଵିକେଟ୍ ସନ୍ଧାନରେ ଅଛନ୍ତି। ଯଦି ପଞ୍ଚମ ଦିନର ପ୍ରଥମ ସେସନରେ ଭାରତୀୟ ବୋଲରଙ୍କୁ ସଫଳତା ନମିଳେ ତେବେ ଇଂଲଣ୍ଡ ପାଇଁ ବିଜୟ ଆଶା ଉଜ୍ଜିବୀତ ହେବାର ସମ୍ଭାବନା ରହିଛି।