ଆଜି ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ବିରାଜମାନ କଲେ ଚତୁର୍ଦ୍ଧାମୁରତି

ଭୁବନେଶ୍ୱର, ୨୯/୦୬ : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟରେ ପରିଣତ ହୋଇଛି। ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ କମ୍ପି ଉଠୁଛି। ରତ୍ନସିଂହାସନ ଛାଡ଼ି ଶ୍ରୀବିଗ୍ରହମାନେ ସ୍ନାନ ମଣ୍ଡପକୁ ବିଜେ କରିଛନ୍ତି। ସକାଳ ୫ଟାରୁ ଆରମ୍ଭ ହୋଇଥିବା ପହଣ୍ଡି ସାଢ଼େ ୭ଟାରେ ଶେଷ ହୋଇଛି। ସ୍ନାନବେଦୀରେ ଚତୁର୍ଦ୍ଧାମୁରତି ବିରାଜମାନ କରିଛନ୍ତି। ଭକ୍ତମାନେ ଭଗବାନଙ୍କର ସେହି ଅପୂର୍ବ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି। ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଲୀଳା ଏବଂ ଦୁର୍ଲଭ ଗଜାନନ ବେଶ (ହାତୀବେଶ) ଦେଖିବାକୁ ମିଳିବ। ଏହି ଭବ୍ୟ ମହୋତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଯେପରି ଶୃଙ୍ଖଳିତ ଏବଂ ସଠିକ୍ ସମୟରେ ସମ୍ପନ୍ନ ହେବ, ସେଥିପାଇଁ ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ଆଲୋଚନା ହୋଇ ସମୟ ସୂଚୀ ନିର୍ଦ୍ଧାରଣ କରାଯାଇଛି।

ଦିନ ୧୨:୦୦ଟାରୁ ୨:୦୦ଟା: ଜଳ ବିଜେ, ପୂଜା ଏବଂ ସ୍ନାନ ନୀତି। ଅପରାହ୍ନ ୪:୦୦ଟାରୁ ୫:୦୦ଟା: ମହାପ୍ରଭୁଙ୍କ ଦୁର୍ଲଭ ଗଜାନନ (ହାତୀ) ବେଶ। ସନ୍ଧ୍ୟା ୭:୦୦ଟାରୁ ରାତି ୯:୩୦: ଭକ୍ତଙ୍କ ପାଇଁ ସାହାଣମେଳା ଦର୍ଶନ।
ରାତି ୧୦:୦୦ଟା: ହାତୀବେଶ ମଇଲମ। ରାତି ୧୦:୩୦: ପୁଷ୍ପାଞ୍ଜଳି ଓ ଡୋର ଲାଗି ନୀତି। ରାତି ୧୧:୦୦ଟାରୁ ୨:୦୦ଟା: ବାହୁଡ଼ା ପହଣ୍ଡି। ରାତି ୨:୩୦: ସୁନା ଚିତା ଏବଂ ରାହୁରେଖା ମଇଲମ ନୀତି। ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ସାଧାରଣ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ସାରି ଅନ୍ୟ ତିନୋଟି ଦ୍ୱାର (ଉତ୍ତର, ଦକ୍ଷିଣ ଓ ପଶ୍ଚିମ) ଦେଇ ପ୍ରସ୍ଥାନ କରିବେ। ସେହିପରି ପାରମାଣିକ ଟିକେଟ୍ କିଣିଥିବା ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଛି। ମନ୍ଦିର ଭିତରେ ଭିଡ଼ ଏଡ଼ାଇବା ପାଇଁ ଏକ ସ୍ୱତନ୍ତ୍ର ‘କ୍ଲିଅରାନ୍ସ ଟିମ୍’ ମଧ୍ୟ ମୁତୟନ ରହିବେ।