ଆକାଶରେ ଚକ୍କର କାଟିଲା ଦିଲ୍ଲୀ-ଲକ୍ଷ୍ନୌ ବିମାନ : ବିମାନରେ ଥିଲେ ରାହୁଲ ଗାନ୍ଧୀ

ଲକ୍ଷ୍ନୌ : ଦିଲ୍ଲୀରୁ ଲକ୍ଷ୍ନୌକୁ ଉଡ଼ାଣ କରୁଥିବା ଏକ ବିମାନ ଆଜି ଦ୍ବିତୀୟ ଉଦ୍ୟମରେ ଲକ୍ଷ୍ନୌ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଛି । ରିପୋର୍ଟ ଅନୁଯାୟୀ, ବିମାନଟି ଅବତରଣ କରିବା ସମୟ‌ରେ ଆକାଶରେ କିଛି ସମୟ ଚକ୍କର କାଟିଥିଲା । ପ୍ରବଳ ବାୟୁ ଚାପ ପାଇଁ ବିମାନଟି ପ୍ରଥମ ଉଦ୍ୟମରେ ଅବତରଣ କରିବାରେ ବିଫଳ ହୋଇଥିଲା । ପାଇଲଟ ଏହାପରେ ଦ୍ବିତୀୟ ଉଦ୍ୟମରେ ବିମାନକୁ ସୁରକ୍ଷିତ ଅବତରଣ କରାଇଥିଲେ ।

ମିଳିଥିବା ସୂଚନାନୁଯାୟୀ, ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧୭ ଦିଲ୍ଲୀରୁ ଲକ୍ଷ୍ନୌକୁ ଉଡ଼ାଣ କରୁଥିଲା । ବିମାନରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଥିଲେ । ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଏହା ଅପରାହ୍ଣ ପ୍ରାୟ ୩ଟା ୪୫ ସମୟରେ ଆକାଶରେ ଚକ୍କର କାଟିଥିଲା । ପାଇଲଟ ଏହାପରେ ଦ୍ବିତୀୟ ଉଦ୍ୟମ କରିଥିଲେ। ପାଖାପାଖି ୧୦ ମିନିଟ୍‌ ପରେ ଅପରାହ୍ଣ ୩.୫୫ରେ ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା । ବିମାନ ଅବତରଣ କରିବା ପରେ ରାହୁଲଙ୍କ ସମେତ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ବାହାରିଥିଲେ ।