ଦିଲ୍ଲୀରେ ରଦ୍ଦ ହେଲା ୫୪ ଲକ୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜିକରଣ

ନୂଆଦିଲ୍ଲୀ,୨୪/୪: ଦିଲ୍ଲୀରେ ରଦ୍ଦ ହେଲା ୫୪ ଲକ୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜିକରଣ। ଦିଲ୍ଲୀ ପରିବହନ ବିଭାଗ ୨୭ ମାର୍ଚ୍ଚ ସୁଦ୍ଧା ପଞ୍ଜିକରଣ ଅବଧି ଶେଷ ହୋଇଥିବା ପ୍ରାୟ ୫୪ ଲକ୍ଷରୁ ଅଧିକ ଗାଡ଼ିର ପଞ୍ଜିକରଣ ରଦ୍ଦ କରିଛନ୍ତି। ଯେଉଁଥିରେ ଅଟୋରିକ୍ସା, କ୍ୟାବ୍ ଏବଂ ଦୁଇ ଚକିଆ ଗାଡ଼ି ରହିଛି। ପଞ୍ଜିକରଣ ରଦ୍ଦ କରାଯାଇଥିବା ଗାଡ଼ିରେ ୧୯୦୦ ଏବଂ ୧୯୦୧ ମସିହାର ଗାଡ଼ି ମଧ୍ୟ ରହିଛି। ସବୁଠୁ ଅଧିକ ଦକ୍ଷିଣ ଦିଲ୍ଳୀ ପାର୍ଟ ୧ରୁ ୯,୯୯,୯୯୯ ପୁରୁଣା ଗାଡ଼ିର ପଞ୍ଜିକରଣ ରଦ୍ଦ କରାଯାଇଛି।

ସୁପ୍ରିମକୋର୍ଟଙ୍କ ୨୦୧୮ ନିଷ୍ପତ୍ତି ଅନୁଯାୟୀ, ୧୦ ବର୍ଷ ପୁରୁଣା ଡିଜେଲ୍‌ ଗାଡ଼ି ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍‌ ଗାଡ଼ିକୁ ଦିଲ୍ଲୀର ପ୍ରତିବନ୍ଧକ କରାଦିଆଯାଇଥିଲା। ଏହି ଆଦେଶର ଉଲ୍ଳଘଂନ କରୁଥିବା ଗାଡ଼ିକୁ ଜବତ କରାଯାଇଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ୨୦୧୪ର ଅନ୍ୟ ଏକ ଆଦେଶରେ ୧୫ ବର୍ଷରୁ ପୁରୁଣା ଗାଡ଼ିକୁ ସାର୍ବଜନିକ ସ୍ଥାନରେ ପାର୍କ କରିବା ଉପରେ ରୋକ୍‌ ଲଗାଇଛନ୍ତି।

ସହରର ପରିବହନ ଅଧ୍ୟକ୍ଷ ଆଶୀଷ କୁନ୍ଦ୍ରା କହିଛନ୍ତି ପୁରୁଣା ବାହନ ମାଲିକଙ୍କ ଠାରୁ ଏନଓସି ହାସଲ କରି ସେହି ଗାଡ଼ିକୁ ସେହି ରାଜ୍ୟରେ ବିକ୍ରି କରିବାକୁ ଅନୁରୋଧ କରାଯାଉଛି ଯେଉଁଠାରେ ଏହା ଚାଲିବା ପାଇଁ ଫିଟ୍‌। ସେ କହିଛନ୍ତି ଯଦି ଏଭଳି ଗାଡ଼ି ସହରର ରାସ୍ତା କିମ୍ବା ସାର୍ବଜନୀନ ସ୍ଥାନରେ ପାର୍କିଂ କରାଯାଇଥିବାର ଦେଖାଯାଏ ତେବେ​ ତାହାକୁ ସ୍କ୍ରାପିଂକୁ ପଠାଯିବ।