ନୂଆଦିଲ୍ଲୀ, ୧୨/୧୦ : ପୂର୍ବ ଆଫ୍ରିକାର ଜିବୁଟିରୁ ୟେମେନ ଯାଉଥିବା ଏକ ଡଙ୍ଗା ବୁଡିବା ଯୋଗୁଁ ଅତିକମରେ ୧୩୯ ଜଣଙ୍କ ଜୀବନ ଚାଲିଯାଇଛି । ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯିବାରୁ ଅତି କମରେ ୧୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ଭିତରେ ୧୫ ଜଣ ପିଲା ରହିଛନ୍ତି । ଘଟଣାରେ ୮୪ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନ୍ତର୍ଜାତୀୟ ସଂଗଠନ ଫର୍ ମାଇଗ୍ରେସନ୍ (IOM) ରବିବାର ଏହି ସୂଚନା ଦେଇଛି ।ଡଙ୍ଗାଟି ଜିବୁଟିରୁ ୟେମେନ ଅଭିମୁଖେ ଯାଉଥିବା ବେଳେ ଅକ୍ଟୋବର ୮ କିମ୍ବା ୯ ତାରିଖ ସକାଳେ ସମୁଦ୍ରରେ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ୮୪ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅତି କମରେ ୧୦୦ ଜଣ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କ ଯୋଗୁଁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଆଫ୍ରିକାର ‘ହର୍ଣ୍ଣ ଅଫ୍ ଆଫ୍ରିକା ଅଞ୍ଚଳରୁ ହଜାର ହଜାର ପ୍ରବାସୀ ସୁରକ୍ଷା ଓ ଉନ୍ନତ ଆର୍ଥିକ ସୁଯୋଗ ଖୋଜି ଜିବୁଟି ଦେଇ ଖାଡ଼ି ଦେଶଗୁଡ଼ିକ ଅଭିମୁଖେ ଯାତ୍ରା କରୁଛନ୍ତି । ଏଥିପାଇଁ ସେମାନେ ବାବ୍-ଅଲ୍-ମନ୍ଦେବ୍ ଜଳପଥ ଅତିକ୍ରମ କରୁଛନ୍ତି । ୟେମେନରେ ହିଂସା ଜାରି ରହିଥିଲେ ମଧ୍ୟ ଏହି ପ୍ରବାସ ଧାରା ବନ୍ଦ ହୋଇନାହିଁ ।