୭୩ ବର୍ଷ ବୟସରେ ଅଭିନେତ୍ରୀ ମଧୁ କାମ୍ବିକରଙ୍କ ପରଲୋକ

ନୂଆଦିଲ୍ଲୀ, ୧୨/୧୦ : ଲୋକପ୍ରିୟ ମରାଠୀ ଅଭିନେତ୍ରୀ ମଧୁ କାମ୍ବିକରଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି । ପୁଣେରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ ମରାଠୀ ଚଳଚ୍ଚିତ୍ର ଜଗତ ସହ କଳାପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘଦିନ ହେଲାଣି ରୋଗରେ ପୀଡିତ ଥିଲେ । ମଧୁ କାମ୍ବିକରଙ୍କ ଜନ୍ମ ୨୮ ଜୁଲାଇ ୧୯୫୩ରେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ମାଲେଗାଓଁ ଖୁର୍ଦରେ ହୋଇଥିଲା । ସେ ଷ୍ଟେଜ କାର୍ଯ୍ୟକ୍ରମରୁ ନିଜର କଳାତ୍ମକ ଯାତ୍ରା ଆରମ୍ଭ କରିଥିଲେ । ପରେ ଫିଲ୍ମ ଜଗତରେ ପାଦ ଥାପିଥିଲେ । ସେ ମରାଠୀ ଚଳଚ୍ଚିତ୍ର, ଲୋକନାଟକ, କମର୍ସିଆଲ୍ ଥିଏଟର ଏବଂ ଟେଲିଭିଜନରେ କାମ କରିଥିଲେ । ରାଜଦତ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶାପିତ୍’ ତାଙ୍କୁ ବିଶେଷ ପରିଚୟ ଦେଇଥିଲା ।

ମଧୁ କାମ୍ବିକର ମରାଠୀ ସିନେମାରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ବହୁତ ଫିଲ୍ମରେ ସେ ମାଆ ଏବଂ ଶାଶୂ ଭୂମିକାରେ ନଜର ଆସିଥିଲେ । ଦିବଂଗତ ଅଭିନେତା ନାନା ପାଟେକରଙ୍କ ମାଆ ଭୂମିକାରେ ମଧ୍ୟ ସେ ଅଭିନୟ କରିଥିଲେ। ‘ହମ୍ ଦୋନୋ’ ଏବଂ ‘ଯଶୱନ୍ତ’ ଭଳି ଫିଲ୍ମରେ ନାନା ପାଟେକରଙ୍କ ମାଆ ଚରିତ୍ରରେ ଅଭିନୟ କରିଥିଲେ । ମରାଠୀ ସିନେମା ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ୨୭ ନଭେମ୍ବର ୨୦୧୬ରେ ଏକ କାର୍ଯ୍ୟକ୍ରମରେ ମଧୁ କାମ୍ବିକର ଲାବଣୀ ନୃତ୍ୟ ପରିବେଷଣ କରୁଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା । ପରେ ମେକଅପ୍ ରୁମକୁ ଯିବା ପରେ ତାଙ୍କୁ ଷ୍ଟ୍ରୋକ୍ ହୋଇଥିଲା । ଅସୁସ୍ଥତା ଯୋଗୁଁ ପରବର୍ତ୍ତୀ ସମୟରେ ତାଙ୍କୁ ଅଭିନୟ ଜଗତରୁ ଦୂରେଇ ରହିବାକୁ ପଡ଼ିଥିଲା ।