ଭୁବନେଶ୍ୱର, ୨୮/୦୮ : ଆସିଲା ‘ସୁଭଦ୍ରା’ ଟଙ୍କା । ହିତାଧିକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି । କୋଟିଏରୁ ଅଧିକ ହିତାଧିକାରୀଙ୍କ ଖାତାକୁ ପଠାଗଲା ୫ ହଜାର ଟଙ୍କା । ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି । ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଗଲା ୫ ହଜାର ଟଙ୍କା । ନୟାଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କିସ୍ତି ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଏଥର ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀ ପ୍ରଥମଥର ପାଇଁ ‘ସୁଭଦ୍ରା’ ସହାୟତା ପାଇଛନ୍ତି । ପୂର୍ବରୁ ସେମାନଙ୍କୁ ମିଳିନଥିବା କିସ୍ତି ସହ ବର୍ତ୍ତମାନର କିସ୍ତିକୁ ମିଶାଇ ଏକକାଳୀନ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟ ଯୋଗ୍ୟ ହିତାଧିକାରୀ ପଞ୍ଚମ କିସ୍ତି ବାବଦରେ ୫ ହଜାର ଟଙ୍କା ପାଇଛନ୍ତି । ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ହିତାଧିକାରୀ ମୋଟ ୫୦ ହଜାର ଟଙ୍କା ପାଇବାର ବ୍ୟବସ୍ଥା ରହିଛି ।