ଭୁବନେଶ୍ୱର, ୨୮/୦୮ : ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ଭଉଣୀ ଆଗରେ ହାର ମାନିଲା ବନ୍ୟାପାଣି । ଅଣ୍ଟାଏ ବନ୍ୟା ପାଣି ଭିତରେ ପଶି ଭାଇ ହାତରେ ରାଖି ବାନ୍ଧିଲା ଭଉଣୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥପ୍ରସାଦ ପଞ୍ଚାୟତରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଥାଳିରେ ରାଖୀ, ଚନ୍ଦନ, ଫୁଲ, ଧୂପ, ଦୀପ,ଓ ଅରୁଆ ଚାଉଳ ସଜେଇ ବନ୍ୟା ପାଣି ଭିତରେ ପଶି ଭାଇ ହାତରେ ରାଖୀ ବାନ୍ଧିଛି ଭଉଣୀ । ଜଗନ୍ନାଥପ୍ରସାଦ ପଞ୍ଚାୟତ ପାଳସାହି ଗାଁର ଭାରତୀ ପରିଡ଼ା ଓ ଦିବ୍ୟଶ୍ରୀ ପାଲ ନିଜ ନିଜ ଭାଇ ହାତରେ ରାଖୀ ବାନ୍ଧିଛନ୍ତି । ଭାରତୀ ପରିଡ଼ା ପାଣି ଯୋଗୁ ନିଜ ଭାଇ ଘରକୁ ଯାଇପାରିନଥିଲେ। ରାସ୍ତା ଘାଟ ନଥିବାରୁ ଭାଇ ଆସିଥିଲେ ଭଉଣୀ ଘରକୁ । ବନ୍ୟା ପାଣି ଭିତରେ ଭାଇ ହାତରେ ରାଖି ବାନ୍ଧିଥିଲେ ଭାରତୀ । ଦିବ୍ୟଶ୍ରୀ ପାଲ ବନ୍ୟା ଯୋଗୁ ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଆଜି ରାଖୀ ପୂର୍ଣ୍ଣିମା ଥିବାରୁ ବନ୍ୟା ପାଣି ଭିତରେ ପଶି ଭାଇ ହାତରେ ରାଖୀ ବାନ୍ଧିଛନ୍ତି । ଘର ଦ୍ବାରରେ ପାଣି ପଶି ଯାଇଥିବାରୁ ସେହି ବନ୍ୟା ପାଣି ଭିତରେ ରାଖୀ ପୂର୍ଣ୍ଣିମା ପାଳନ କରିଛନ୍ତି । ବନ୍ୟା ପାଣି ଭିତରେ ରକ୍ଷା ବନ୍ଧନର ଏହି ଦୃଶ୍ୟ ଭାଇ ଭଉଣୀର ଅତୁଟ ସମ୍ପର୍କକୁ ଆହୁରି ମଜବୁତ କରିଛି ।