ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୦୬/୧ : ଆମେରିକାରେ ଏକ ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅଭିନେତାଙ୍କ ସହ ତାଙ୍କର ଦୁଇ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି। ରୟାଲ ସେଣ୍ଟ ଭିନ୍ସେଣ୍ଟ ଆଣ୍ଡ୍‌ ଗ୍ରେନାଡାଇନ୍ସ ପୁଲିସ ଫୋର୍ସ ପକ୍ଷରୁ ଏକ ବିବୃତ୍ତିରେ ଏହି ଦୁର୍ଘଟଣା ଗୁରୁବାର ଘଟିଥିବା ସୂଚନା ଦିଆଯାଇଛି। ଅଭିନେତାଙ୍କ ବିମାନ ସମୁଦ୍ରରେ ପଡ଼ିବା ମାତ୍ରେ ମତ୍ସ୍ୟଜୀବୀ ଓ ତଟରକ୍ଷୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସେଠାରୁ ଚାରିଟି ମୃତଦେହ ଉଦ୍ଧାର କରିଥିଲେ। ଏହି ବିମାନ ଦୁର୍ଘଟଣାରେ ୫୧ ବର୍ଷିୟ ଓଲିଭର, ତାଙ୍କର ଦୁଇ ଝିଅ ମଦିତା (୧୦ ବର୍ଷ), ଅନ୍ନିକ୍ (୧୨ବର୍ଷ) ଏବଂ ପାଇଲଟ୍ ରବର୍ଟ ସାକ୍ସଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିମାନ ଗ୍ରେନାଡାଇନ୍ସର ଏକ ଛୋଟ ଦ୍ୱୀପ ବେକିଆରୁ ଗୁରୁବାର ଅପରାହ୍ନରେ ସେଣ୍ଟ ଲୁସିଆ ଆଡକୁ ଯାଉଥିଲା। ଅଭିନେତା ଖ୍ରୀଷ୍ଟିଆନ ଓଲିଭର ଟମ କ୍ରୁଜଙ୍କ ଫିଲ୍ମ ‘ବାଲ୍କିରୀ’ରେ ଏକ ଛୋଟ ଭୂମିକା ନିଭାଇଥିବା ବେ‌ଳେ ସମୁଦାୟ ୬୦ ରୁ ଅଧିକ ଚଳଚ୍ଚିତ୍ର ଏବଂ ଟିଭି ସୋ’ରେ ଅଭିନୟ କରିଛନ୍ତି।