ନୂଆଦିଲ୍ଲୀ, ୨୮/୦୯ : ତାମିଲନାଡୁରେ ଆରମ୍ଭ ହେଲା ନବଜାତ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ସୁନା ମୁଦି ଯୋଜନା । ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ମଦୁରାଇର ସରକାରୀ ରାଜାଜୀ ହସ୍ପିଟାଲରେ ‘ମାମୁଁଙ୍କ ପକ୍ଷରୁ ସୁନା ମୁଦି’ ଯୋଜନାର ଶୁଭାରମ୍ଭ କରିଛନ୍ତି । ‘ମାମୁଁଙ୍କ ପକ୍ଷରୁ ସୁନା ମୁଦି’ ଅର୍ଥ ବହନ କରୁଥିବା ଏହି ଯୋଜନା ଅଧୀନରେ ଯୋଗ୍ୟ ନବଜାତ ଶିଶୁଙ୍କୁ ୨୨ କ୍ୟାରେଟ୍ର ଏକ ଗ୍ରାମ ଓଜନର ସୁନା ମୁଦି ଦିଆଯିବ । ଯୋଜନାର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ନବଜାତ ଶିଶୁଙ୍କୁ କୋଳରେ ନେବା ସହ ସୁନା ମୁଦି ପ୍ରଦାନ କରିଥିଲେ। ରାଜ୍ୟ ସରକାର ଏହି ଯୋଜନା ପାଇଁ ବାର୍ଷିକ ୭୫୫.୮୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାୟ ୧.୨୮ ଲକ୍ଷ ସୁନା ମୁଦି ପ୍ରସ୍ତୁତ କରାଯାଇଛି ।