ଭୁବନେଶ୍ୱର, ୨୮/୦୯ : ଏଣିକି ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ସାଧାରଣ ବୈଠକ ହେବ ନାହିଁ। ରାଜ୍ୟ ସରକାର ସୋମବାରକୁ ‘ନୋ ମିଟିଂ ଡେ’ (ଅଣବୈଠକ ଦିବସ) ଭାବେ ଘୋଷଣା କରି ସମସ୍ତ ବିଭାଗ ଓ କାର୍ଯ୍ୟାଳୟ ପାଇଁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ଅତି ଜରୁରୀ ପରିସ୍ଥିତି ଛାଡ଼ା ସୋମବାର କୌଣସି ପ୍ରକାର ବୈଠକ ଆୟୋଜନ କରାଯିବ ନାହିଁ। ଏହି ନିଷ୍ପତ୍ତି ପଛରେ ରହିଛି ଜନସାଧାରଣଙ୍କ ଅଭିଯୋଗର ଶୀଘ୍ର ସମାଧାନ। ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ସାପ୍ତାହିକ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେଉଥିବାରୁ, ଉଚ୍ଚ ଅଧିକାରୀମାନେ ବୈଠକରେ ବ୍ୟସ୍ତ ନରହି ସିଧାସଳଖ ଲୋକଙ୍କ ସମସ୍ୟା ଶୁଣିବେ ଓ ତୁରନ୍ତ ପଦକ୍ଷେପ ନେବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। ସରକାରଙ୍କ ମତରେ, ଅଭିଯୋଗ ଶୁଣାଣି ଦିନରେ ବାରମ୍ବାର ବୈଠକ ହେବାରୁ ଅନେକ ଅଧିକାରୀ ଲୋକଙ୍କ ସହ ସମୟ ଦେଇପାରୁ ନଥିଲେ। ଏହାକୁ ଦୂର କରିବା ସହ ଶାସନ ବ୍ୟବସ୍ଥାକୁ ଅଧିକ ଜନମୁଖୀ କରିବା ପାଇଁ ‘ନୋ ମିଟିଂ ଡେ’ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ନିର୍ଦ୍ଦେଶ ରାଜ୍ୟର ସମସ୍ତ ସରକାରୀ ବିଭାଗ, କାର୍ଯ୍ୟାଳୟ ଓ ସମ୍ପୃକ୍ତ ପ୍ରଶାସନିକ ସଂସ୍ଥା ପାଇଁ ପ୍ରଯୁଜ୍ୟ ହେବ। ଫଳରେ ପ୍ରତ୍ୟେକ ସୋମବାର ସରକାରୀ ଅଧିକାରୀଙ୍କ ପ୍ରାଥମିକତା ହେବ ଲୋକଙ୍କ ଅଭିଯୋଗ ଶୁଣିବା ଓ ତାହାର ସମାଧାନ ଦିଗରେ କାର୍ଯ୍ୟ କରିବା।