ଆଇପିଏଲ : ଆଜି ରାଜସ୍ଥାନ ରୟାଲ୍‌ସ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ଲଢେଇ

ନୂଆଦିଲ୍ଲୀ, ୦୯/୦୫ : ଆଇପିଏଲ-୧୯ର ଆଜି ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲ୍‌ସ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ୫୨ତମ ମ୍ୟାଚ ଖେଳାଯିବ। ରାଜସ୍ଥାନ ରୟାଲ୍‌ସ ଉକ୍ତ ମ୍ୟାଚ ଗୋଲାପି ଜର୍ସି ପିନ୍ଧି ଖେଳିବ। ପ୍ରଥମ ରାଉଣ୍ଡ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ୬ ରନରେ ଗୁଜରାଟ ଟାଇଟାନ୍‌ସକୁ ପରାସ୍ତ କରିଥିଲା। ଏବେ ଗୁଜରାଟ ନିକଟରେ ପ୍ରତିଶୋଧ ସୁଯୋଗ ରହିଛି।ରିୟାନ ପରାଗଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ୧୦ଟି ମ୍ୟାଚରୁ ୬ଟି ବିଜୟ ଓ ୪ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ବଡ଼ ସ୍କୋର କରି ମଧ୍ୟ ୭ ୱିକେଟରେ ପରାଜିତ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀ, ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ଶୁଭମ ଦୁବେ, ରିୟାନ ପରାଗ ଓ ସିମ୍ରନ ହେତମେୟରଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି। ଜେଫ୍ରା ଆର୍ଚର , ତୁଷାର ଦେଶପାଣ୍ଡେ,ରବି ବିଷ୍ଣୋୟୀ ଓ ରବୀନ୍ଦ୍ର ଜାଡେଜା ବୋଲିଂ ଭାର ସମ୍ଭାଳୁଛନ୍ତି। ଦଳ ଶେଷ ମ୍ୟାଚରେ ବଡ଼ସ୍କୋର କରିଥିଲେ ମଧ୍ୟ ବୋଲିଂ ବିଫଳତା ପାଇଁ ପରାଜିତ ହୋଇଥିଲା। ଗୁଜରାଟ ବିପକ୍ଷରେ ବୋଲିଂ ସୁଧାରିବା ସହ ବିଜୟ ଧାରାକୁ ଫେରିବା ନେଇ ଦଳ ଲକ୍ଷ୍ୟ ରଖିଛି। ଶୁଭମନ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ୧୦ଟି ମ୍ୟାଚରୁ ୬ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦଳ ଶେଷ ଦୁଇ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିବା ସହ ପ୍ଲେଅଫ ଦୌଡ଼ରେ ରହିଛି। ସାଇ ସୁଦର୍ଶନ, ଗିଲ୍‌, ଜୋଶ ବଟ୍‌ଲର, ଗ୍ଲେନ ଫିଲିପ୍ସ, ୱାଶିଂଟନ ସୁନ୍ଦର ଓ ଜାସନ ହୋଲଡରଙ୍କୁ ନେଇ ବ୍ୟାଟିଂ ଲାଇନ ବେଶ ଶକ୍ତିଶାଳୀ। କାଗିସୋ ରାବଡା, ମହମ୍ମଦ ସିରାଜ, ରସିଦ ଖାନ ଓ ଅର୍ଶଦ ଖାନ ବୋଲିଂ ଭାର ସମ୍ଭାଳୁଛନ୍ତି। ଉଭୟ କ୍ଷେତ୍ରରେ ଦଳ ଶକ୍ତିଶାଳୀ ରହିଛି। ଦୁଇ ଦଳ ସମାନ ସ୍ଥିତିରେ ରହିଥିବାରୁ ମ୍ୟାଚ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି।