୧୨ରେ ଆଉ ଏକ ଘୂର୍ଣ୍ଣିବଳୟ, ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୦୭/୦୭ : ରାଜ୍ୟବାସୀଙ୍କ ପାଇଁ ପାଣିପାଗକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ମଙ୍ଗଳବାରଠାରୁ ଓଡ଼ିଶାରେ ବର୍ଷାର ପ୍ରକୋପ କମିବାକୁ ଥିବାବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିପାରେ। ତେବେ ଏହି ଆଶ୍ୱସ୍ତି ଅଧିକ ଦିନ ରହିବ ନାହିଁ। ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଓଡ଼ିଶା ଆକାଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି, ଯାହା ପ୍ରଭାବରେ ପୁଣିଥରେ ପ୍ରବଳ ବର୍ଷାର ସେକେଣ୍ଡ ଇନିଂସ ଆରମ୍ଭ ହେବ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି।

ଆଜି ପୂର୍ବାହ୍ନ ୮ଟା ୩୦ ପର୍ଯ୍ୟନ୍ତ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷାର ରୁଦ୍ରରୂପ ଦେଖିବାକୁ ମିଳିପାରେ। ଏହି ସବୁ ସ୍ଥାନରେ ପ୍ରାୟ ୧୨ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ହାଇ-ଆଲର୍ଟ ଜାରି କରାଯାଇଛି। ହାଇ-ଆଲର୍ଟରେ ଥିବା ଜିଲ୍ଲାଗୁଡ଼ିକ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟ ୭ଟି ଜିଲ୍ଲାରେ ମଧ୍ୟ ସ୍ଥାନେ ସ୍ଥାନେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ‘ୟେଲୋ ଆଲର୍ଟ’ ଜାରି କରିବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ବା ଜଳବନ୍ଦୀ ସମସ୍ୟା ଉପୁଜିପାରେ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି। ରାଜ୍ୟର ଉପକୂଳ ଏବଂ ଦକ୍ଷିଣ ଭାଗରେ ଥିବା ଜିଲ୍ଲାଗୁଡ଼ିକ ପାଇଁ ବର୍ତ୍ତମାନ କୌଣସି ପ୍ରକାରର ଚେତାବନୀ ନାହିଁ। ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଭଳି ଜିଲ୍ଲାରେ ପାଣିପାଗ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିବ ବୋଲି ଜଣାପଡ଼ିଛି।