କମିଲା ତଳମୁଣ୍ଡରେ ଜଳପ୍ରବାହ : ହୀରାକୁଦର ଖୋଲା ଅଛି ୧୩ ଗେଟ୍

ଭୁବନେଶ୍ବର, ୦୪/୦୮ : ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି। ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୮.୭୧ ଫୁଟରେ ପହଞ୍ଚିଛି । ବର୍ତ୍ତମାନ ବନ୍ଧର ୧୩ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି । ଯେଉଁଥିରୁ ବାମପାର୍ଶ୍ୱର ୯ଟି ଓ ଡାହାଣପାର୍ଶ୍ୱର ୪ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୯୦ହଜାର ୭୩୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୩୮ହଜାର ୫୦୮ କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି । ଏଥିମଧ୍ୟରୁ ୨ଲକ୍ଷ ୦୨ହଜାର ୫୨୭ କ୍ୟୁସେକ୍ ସ୍ପିଲୱେ ଓ ୩୧ହଜାର ୭୧୪ କ୍ୟୁସେକ୍ ପାୱାର ଚ୍ୟାନେଲ୍ ଏବଂ ଅବଶିଷ୍ଟ ପାଣି କେନାଲ ଓ ଶିଳ୍ପାଞ୍ଚଳକୁ ଯୋଗାଣ ଦିଆଯାଉଛି । ତଳମୁଣ୍ଡରେ ମଧ୍ୟ ଜଳପ୍ରବାହ କମିବାରେ ଲାଗିଛି । ମୁଣ୍ଡଳୀରେ ସକାଳ ୬ଟା ସୁଦ୍ଧା ୫ଲକ୍ଷ ୫୪ହଜାର ୬୯୫ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବା ବେଳେ ବରମୂଳରେ ୩ଲକ୍ଷ ୭୭ହଜାର ୫୦୦ କ୍ୟୁସେକ୍ ଏବଂ ଖଇରମାଳରେ ୩ଲକ୍ଷ ୬୫ହଜାର କ୍ୟୁସେକ୍ ପାଣି ପ୍ରବାହ ରେକର୍ଡ କରାଯାଇଛି । ସମସ୍ତ ସ୍ଥାନରେ ପାଣି ପ୍ରବାହ ହ୍ରାସ ପାଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବା ସଙ୍କେତ ମିଳୁଛି ।

SBI AD