ପ୍ରତିଦିନ ଆଖିରେ କାଜଲ ଲଗାଉଛନ୍ତି କି? ହୋଇପାରେ ଏହି ସବୁ କ୍ଷତି

ମେକଅପ୍ ପ୍ରାୟ ପ୍ରତ୍ୟେକ ଝିଅଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି । ସେଥିରେ କାଜଲର ସ୍ଥାନ ସବୁଠାରୁ ଆଗରେ । କାଜଲ ଲଗାଇଲେ ଆଖି ଅଧିକ ବଡ଼, ଆକର୍ଷଣୀୟ ଏବଂ ସୁନ୍ଦର ଦେଖାଯାଏ । ସେଥିପାଇଁ ଅନେକ ଝିଅମାନେ ପ୍ରତିଦିନ କାଜଲ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଭୁଲ ଉପାୟରେ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ କାଜଲ ବ୍ୟବହାର କଲେ ଏହା ଆଖି ପାଇଁ କ୍ଷତିକାରକ ହୋଇପାରେ ।

ଯଦି କାଜଲର ଗୁଣବତ୍ତା ଭଲ ନୁହେଁ କିମ୍ବା ଏଥିରେ କ୍ଷତିକାରକ ରସାୟନ ଥାଏ, ତେବେ ଆଖି କୁଣ୍ଡେଇ ହେବା, ଜଳାପୋଡ଼ା, ଲାଲ ପଡ଼ିବା ଓ ଆଲର୍ଜି ଭଳି ସମସ୍ୟା ଦେଖାଦେଇପାରେ । ଏହାଛଡ଼ା ପୁରୁଣା କିମ୍ବା ଅନ୍ୟ କାହାର କାଜଲ ବ୍ୟବହାର କରିବା ଦ୍ବାରା ବ୍ୟାକ୍ଟେରିଆ ସଂକ୍ରମଣର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ । ତେବେ ଏହା ଲଗାଇବା ଦ୍ବାରା କଣ ସବୁ ଆଖିରେ ପ୍ରଭାବ ପଡ଼େ ଆସନ୍ତୁ ସେ ସମ୍ପର୍କରେ ଜାଣିବା।

ସଂକ୍ରମଣ ଆଶଙ୍କା: ମାର୍କେଟରେ ମିଳୁଥିବା କାଜଲକୁ ବେଳେବେଳେ ବ୍ୟବହାର କରିବା ଠିକ୍ କିନ୍ତୁ ଅତ୍ୟଧିକ ବ୍ୟବହାର ସଂକ୍ରମଣର କାରଣ ହୋଇପାରେ । କାଜଲରେ କ୍ଷତିକାରକ ରାସାୟନିକ ପଦାର୍ଥ କିମ୍ବା ଜୀବାଣୁ ଥାଇପାରେ ଯାହା ଆଖି ସଂକ୍ରମଣର କାରଣ ହୋଇପାରେ। ତେଣୁ, ଯଦି ଆପଣ କାଜଲ ବ୍ୟବହାର କରୁଛନ୍ତି, ତେବେ ଖାସ୍ କରି ଏହାର କ୍ବାଲିଟି ଉପରେ ଧ୍ୟାନ ନିଶ୍ଚୟ ଦିଅନ୍ତୁ ।

ଆଲର୍ଜି : କାଜଲ ଲଗାଇବା ଦ୍ବାରା ଆଲର୍ଜି ମଧ୍ୟ ହୋଇପାରେ । ଏହା ଲଗାଇବା ଦ୍ବାରା ଆଖି ଫୁଲିବା, ଲାଲ ହେବା ଏବଂ ଜ୍ୱଳନ ଭଳି ସମସ୍ୟା ସୃଷ୍ଟି କରିପାରେ । ତେଣୁ, ଯଦି ଆପଣଙ୍କର ସମ୍ବେଦନଶୀଳ ଚର୍ମ ଅଛି, ତେବେ କାଜଲ ବ୍ୟବହାର କରନ୍ତୁ ନାହିଁ । ନଚେତ୍ ଅନେକ ସମସ୍ୟାର ସାମ୍ନା କରିପାରନ୍ତି ।

ଲୁହ ନଳୀ ବନ୍ଦ କରେ: ପ୍ରତିଦିନ ଆଖିର ଭିତର ପାର୍ଶ୍ୱରେ ଅଧିକ କାଜଲ ଲଗାଇଲେ ଏହାର ସୂକ୍ଷ୍ମ କଣିକା ଲୁହ ନଳୀରେ ଜମିଯାଇପାରେ । ଫଳରେ ଲୁହ ନଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା ବଢ଼ି ଯାଇଥାଏ । ଯାହା ଦ୍ବାରା ଆଖି ଫୁଲିବା ସହିତ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯଦି ଏହି ସମସ୍ୟା ଦୀର୍ଘଦିନ ରହେ, ତେବେ ଚକ୍ଷୁ ବିଶେଷଜ୍ଞଙ୍କ ନିଶ୍ଚୟ ଦେଖାନ୍ତୁ । କାଜଲକୁ ଆଖିର ଭିତର ପାର୍ଶ୍ୱରେ ଅଧିକ ଗଭୀର ଭାବେ ଲଗାନ୍ତୁ ନାହିଁ । ରାତିରେ ଶୋଇବା ପୂର୍ବରୁ ମେକଅପ୍ ରିମୁଭର୍ କିମ୍ବା ସଫା ପାଣିରେ କାଜଲକୁ ସମ୍ପୂର୍ଣ୍ଣ ସଫା କରନ୍ତୁ । ଯାହା ଦ୍ବାରା ଆଖିକୁ ସୁରକ୍ଷିତ ରଖାଯାଇପାରିବ ।

ଦୃଷ୍ଟିଶକ୍ତି ହରାଇବା : ଯେତେବେଳେ ଆଖିରେ ଅଧିକ କାଜଲ ଲଗାଯାଏ ସେତେବେଳେ ଏହା ଆଖିରେ ପଶିଯାଏ । ଫଳରେ ଆଖିର ଆଦ୍ରତାକୁ ପ୍ରଭାବିତ କରେ । ଯାହା ଦ୍ବାରା ଦୃଷ୍ଟି ଝାପ୍ସା କିମ୍ବା ଆଖିରେ ଅସ୍ୱସ୍ତି ହୋଇପାରେ । ଯଦି କାଜଲକୁ ଦୀର୍ଘ ସମୟ ଧରି ବ୍ୟବହାର କରାଯାଏ ତେବେ ଏହା ବୃଦ୍ଧି ପାଇପାରେ ।

ସୁନ୍ଦର ଦେଖାଯିବା ଜରୁରୀ, କିନ୍ତୁ ତା’ଠାରୁ ବି ଅଧିକ ଜରୁରୀ ହେଉଛି ଆପଣଙ୍କ ଆଖିର ସ୍ୱାସ୍ଥ୍ୟ । ସଠିକ୍ ଉପାୟରେ କାଜଲ ବ୍ୟବହାର କଲେ ସୌନ୍ଦର୍ଯ୍ୟ ସହ ଆଖିର ସୁରକ୍ଷା ମଧ୍ୟ ବଜାୟ ରହିବ । ତେଣୁ କାଜଲ ଲଗାଇବା ସମୟରେ ପ୍ରତ୍ୟେକଟି ଜିନିଷ ଉପରେ ବିଶେଷ ଧ୍ୟାନ ରଖନ୍ତୁ ।

SBI AD