ମାଡିଆସୁଛି ଘୋର ତେଲ ସଙ୍କଟ, ରୁଷ୍‌ ଧମକରେ ବିଶ୍ବ ଚିନ୍ତିତ

ୱାଶିଂଟନ,୯/୩ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଏବେ ବିଶ୍ବବାସୀଙ୍କ ପାଇଁ ମହଙ୍ଗା ପଡିବ। ରୁଷ୍‌ର ଘନଘନ ଆକ୍ରମଣ ୟୁକ୍ରେନ୍‌କୁ ଯେତିକି କ୍ଷତିଗ୍ରସ୍ତ କରିଛି, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ କଠୋର କଟକଣା ମଧ୍ୟ ମସ୍କୋକୁ ଅନୁରୂପ ଆର୍ଥିକ ସଙ୍କଟ ଭିତରକୁ ଟାଣି ଆଣିଛି। ତୈଳ ଓ ଗ୍ୟାସ୍‌ ଉପରେ ପ୍ରତିଷ୍ଠିତ ରୁଷ୍‌ ଅର୍ଥନୀତିକୁ ଧ୍ବଂସ କରିବା ପାଇଁ ଆମେରିକା ରଣନୀତିକୁ ଦେଖି ମସ୍କୋ କ୍ଷୁବ୍ଧ ହୋଇପଡିଛି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଙ୍ଘ କେହି ରୁଷ୍‌ ଠାରୁ ଅଶୋଧିତ ତୈଳ କିଣିବେନି ବୋଲି ମାର୍କିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଷ୍ପତ୍ତି ନେବାପରେ ବିଶ୍ବ ତୈଳ ବଜାରରେ ଗୁରୁତର ତୈଳ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ଏଭଳି ସ୍ଥିତିରେ ପଶ୍ଚିମୀ ରାଷ୍ଟ୍ରଙ୍କୁ ରୁଷ୍‌ ଉପପ୍ରଧାନମନ୍ତ୍ରୀ ଆଲେକ୍‍ଜାଣ୍ଡର ନୋଭାକ୍‍ ଯେଉଁ ଚେତାବନୀ ଦେଇଛନ୍ତି ତାହା ଅଶୋଧିତ ଇନ୍ଧନ ତୈଳ ଦରକୁ ଅଧିକ ତେଜିଦେଇଛି। ଆମେରିକା ଓ ଇୟୁ ରୁଷ୍‌ ଉପରେ କଠୋର ଆର୍ଥିକ କଟକଣା ଲଗାସାରିଛନ୍ତି। ଏବେ ଅଶୋଧିତ ତୈଳ ଉପରେ ମଧ୍ୟ କଟକଣା ଲଗାଇଥିବାରୁ ତାହାର ମୁକାବିଲା ଲାଗି ମସ୍କୋ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ଦର ୩୦୦ ଡଲାର ପହଞ୍ଚାଇବ ଦେବ ବୋଲି ସିଧାସଳଖ ଚେତାବନୀ ଦେଇଛି। ଏପରିକି ଗ୍ୟାସ୍‌ ଯୋଗାଣକୁ ମଧ୍ୟ ଗୁରୁତର ପ୍ରଭାବିତ କରିଦେବାକୁ ଧମକ ଦେଇଛି।

ଫଳରେ ସାରା ବିଶ୍ୱ ପାଇଁ ମାଡିଆସୁଛି ଘୋର ତେଲ ସଙ୍କଟ। ପେଟ୍ରୋଲ, ଡିଜେଲ ଆଦି କିଣିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ହେବନାହିଁ। ଗାଡି ମଟର ସବୁ ଅଚଳ ହୋଇ ପଡ଼ିରହିବ। ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହେବ ଏବଂ ସାଧାରଣ ଜୀବନଯାତ୍ରା ଅଚଳ ହୋଇପଡ଼ିବ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ରୁଷର ଧମକ ପରେ ଏଭଳି ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ଏପରିକି ତାହାର ପ୍ରଭାବ ମଧ୍ୟ ତୈଳ ବଜାର ଉପରେ ପଡ଼ିଲାଣି। ମଙ୍ଗଳବାର ଦିନ ଆନ୍ତର୍ଜାତିକ ବଜାରରେ ଅଶୋଧିର ତୈଳ ବ୍ୟାରେଲ ପିଛା ପ୍ରାୟ ୧୩୯ ଡଲାରରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଏହା ୩୦୦ ଡଲାରରେ ପହଞ୍ଚିବା ଆଶଙ୍କା ଦେଖାଦେଇଛି। ମାତ୍ର ତିନିମାସ ତଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ପାଖାପାଖି ୮୫ ଡଲାର ଥିଲା।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷ ବିରୋଧରେ ଏକାଧିକ କଟକଣା ଲଗାଇଥିବାବେଳେ ଏବେ ରୁଷ ସେମାନଙ୍କୁ ତେଲ ଡର ଦେଖାଇବା ଆରମ୍ଭ କରିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷରୁ ଅଶୋଧିତ ତୈଳ ଆମଦାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିବାବେଳେ ରୁଷ ସେମାନଙ୍କୁ ଚେତାବନୀ ଦେଇଛି। ଏହାଦ୍ୱାରା ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୦୦ ଡଲାରରେ ପହଞ୍ଚିବ ଏବଂ ଏହାର ପ୍ରଭାବରେ ସବୁକିଛି ଅଚଳ ହୋଇଯିବ ବୋଲି ରୁଷ କହିଛି।