କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ବର, ୨୧/୦୬ : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ । ଏହି ଅବସରରେ ସକାଳ ୬ଟା ସମୟରେ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟର ମିଳିତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା । ଏଥିରେ କିଟ୍ , କିସ୍ ଓ କିମ୍‍ସର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏକାଠି ହୋଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି, ଯୋଗ ହେଉଛି ଆମର ପୁରାତନ ପରମ୍ପରା । ସମଗ୍ର ବିଶ୍ୱକୁ ଏହା ହେଉଛି ଭାରତର ସବୁଠାରୁ ମୂଲ୍ୟବାନ ଦାନ । ସମଗ୍ର ବିଶ୍ୱରେ ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇ ଚାଲିଛି । ଯୋଗ କେବଳ ଯେ ଆମକୁ ଶାରୀରିକ ଭାବେ ଫିଟ୍‍ ରଖିଥାଏ ତାହା ନୁହେଁ, ଏହା ମଧ୍ୟ ଆମର ମାନସିକ ଚାପ କମାଇବା ସହ ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଚଳିତବର୍ଷର ଥିମ୍ ଉପରେ ଗୁରୁତ୍ୱ ଦେଇ ଡକ୍ଟର ସାମନ୍ତ କହିଛନ୍ତି, ବାର୍ଦ୍ଧକ୍ୟ ଅବସ୍ଥାରେ ସୁସ୍ଥ ରହିବା ପାଇଁ ଯୋଗ ନିୟମିତ ଅଭ୍ୟାସ କରିବା ଉଚିତ । ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ କିଟ୍‍ ଓ କିସ୍‍ର ସମସ୍ତ ସ୍କୁଲ୍ ଓ ବିଭାଗୀୟ ଡିନ୍ , ନିର୍ଦ୍ଦେଶକଙ୍କ ସମେତ ପ୍ରାୟ ୬ ହଜାର କର୍ମଚାରୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । କିଟ୍‍ ଯୋଗ ସ୍କୁଲ୍‍ ପ୍ରଫେସର ଡକ୍ଟର ଶାନ୍ତମତି ଦାଶ ଓ ଉପନିର୍ଦ୍ଦେଶକ ରଶ୍ମିରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।