ନୂଆଦିଲ୍ଲୀ : ଏପ୍ରିଲ ୨ରୁ ଆରମ୍ଭ ହୋଇପାରେ ଆଇପିଏଲ ୨୦୨୨। ଏହାର ଚୂଡାନ୍ତ ନିଷ୍ପତ୍ତି ହୋଇନଥିଲେ ହେଁ ବିସିସିଆଇ ନିଜର ପ୍ରମୁଖ ଅଂଶଧାରୀଙ୍କୁ ଏହାର ସୂଚନା ଦେଇ ଦେଇଛି। ଚେନ୍ନାଇରେ ଆଇପିଏଲର ଉଦଘାଟନୀ ମ୍ୟାଚ୍ ଖେଳାଯାଇପାରେ। ଆଇପିଏଲର ୧୫ତମ ସଂସ୍କରଣ ୧୦ଟି ଦଳକୁ ନେଇ ଆୟୋଜିତ ହେବ। ଫାଇନାଲ୍ ମ୍ୟାଚ୍ ଏପ୍ରିଲ ଚାରି କିମ୍ବା ପାଞ୍ଚରେ ଖେଳାଯାଇପାରେ। ପ୍ରତ୍ୟେକ ଦଳ ମୋଟ୍ ୧୪ଟି ମ୍ୟାଚ୍ ଖେଳିବେ। ଏଥିରୁ ସାତ ମ୍ୟାଚ୍ ଘରୋଇ ପଡିଆରେ ଏବଂ ବାକି ସାତ ବାହାର ପଡିଆରେ ଖେଳିବେ।
ଆଇପିଏଲ ୧୫ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଲାଯାଇପାରେ। କାରଣ ଚେନ୍ନାଇ ଗତ ସଂସ୍କରଣର ଚାମ୍ପିଅନ। ହେଲେ ପ୍ରଥମ ମ୍ୟାଚ୍ରେ ଚେନ୍ନାଇର ମୁକାବିଲା ମୁମ୍ବାଇ ନା ଅନ୍ୟ ଦଳ ସହ ହେବ ଏହା ସ୍ଥିର ହୋଇ ନାହିଁ। ସର୍ବାଧିକ ଥର ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳା ଯାଇଛି।
ଏଥର ଆଇପିଏଲ ପାଇଁ ଜାନୁଆରୀରେ ମେଗା ନିଲାମ ହେବାକୁ ଯାଉଛି। ପୁରୁଣା ଦଳ ନିଜର ଚାରି ଖେଳାଳିଙ୍କୁ ଦଳରେ ରଖି ପାରିବେ। ଆଉ ନୂତନ ଦୁଇଟି ଦଳ ନିଲାମ ପୂର୍ବରୁ ତିନି ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କରି ପାରିବେ। ମେଗା ନିଲାମ ପରେ ସମସ୍ତ ଦଳର ରୂପ ରେଖ ପରିବର୍ତ୍ତନ ଘଟିବ ଏବଂ ଆଇପିଏଲରେ ନୂତନତ୍ଵ ଆସିବ। ଏଥିରେ ଟୁର୍ଣ୍ଣାମେଣ୍ଟ ଆହୁରି ରୋଚକ ହେବ। ଏଥର ଅହମ୍ମଦାବାଦ ଓ ଲକ୍ଷ୍ନୌ ଦୁଇଟି ନୂତନ ଦଳ ଆଇପିଏଲରେ ସାମିଲ୍ ହୋଇଛି।