ଆଇପିଏଲ ଫାଇନାଲ : ଶ୍ରେୟସ ଆୟାରଙ୍କ ଅଧିନାୟକ ଇନିଂସ, ମୁମ୍ବାଇକୁ ୧୫୭ ରନ୍‌ର ଟାର୍ଗେଟ୍ ଦେଲା ଦିଲ୍ଲୀ

ଦୁବାଇ, ୧୦/୧୧ : ଆଇପିଏଲ-୨୦୨୦ର ଫାଇନାଲ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଋଷଭ ପନ୍ତ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୫୬ ରନ୍ କରିଛି । ଅର୍ଥାତ ମୁମ୍ବାଇକୁ ବିଜୟ ପାଇଁ ୧୫୭ ରନ୍ ଆବଶ୍ୟକ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ପାଇଁ ଓପନିଂ ଯୋଡି ଫେଲ୍ ମାରିଥିଲେ । ଦଳ ଖାତା ଖୋଲିବା ପୂର୍ବରୁ ଏମ ଷ୍ଟୋଇନ୍ସଙ୍କ ଓ୍ୱିକେଟ୍ ହରାଇଥିଲା । ଏହାପରେ ଆଜିଙ୍କ୍ୟ ରାହାଣେ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଦଳର ସ୍କୋର ୨୨ ଥିବା ବେଳେ ଶିଖର ଧାଓ୍ୱାନ ୧୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଫଳରେ ଦଳ ସଙ୍କଟରେ ପଡିଥିଲା । ତେବେ ଶ୍ରେୟସ ଆୟାର ଓ ଋଷଭ ପନ୍ତ ଧର୍ଯ୍ୟର ସହ ସହ ବ୍ୟାଟିଂ କରି ଉପଯୋଗୀ ଇନିଂସ ଖେଳିଥିଲେ । ଉଭୟ ନିଜର ଅର୍ଧଶତକ ପୂରଣ କରିବା ସହ ରନ ରେଟର ଗତି ବଢାଇଥିଲେ । ପନ୍ତ ୩୮ ବଲରୁ ଦ୍ରୁତ ୫୬ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଶ୍ରେୟସ ୬୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିମରନ୍ ହେଟମାୟର ୫ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୫୬ ରନ୍ କରିପାରିଥିଲା ।

ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ନାଥାନ କୁଲ୍ଟରନାୟାଲ ଦୁଇଟି ଓ ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।