ଭୁବନେଶ୍ୱର, ୨୦/୦୮ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ୍ ପ୍ରୋଗ୍ରାମ ପରିଚାଳକ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ଆଶାକର୍ମୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିପିଏମ୍ ମନୋଜ ରଞ୍ଜନ ନାୟକଙ୍କୁ ଭିଜିଲାନ୍ସ ବାନ୍ଧିଛି । ଅଭିଯୋଗକାରିଣୀ ଆଶାକର୍ମୀଙ୍କର ମାଟ୍ରିକ ସାର୍ଟିଫିକେଟ୍ ଏବଂ ଆଧାରକାର୍ଡରେ ଦୁଇଟି ଭିନ୍ନ ଭିନ୍ନ ଜନ୍ମ ତାରିଖ ରହିଯାଇଛି । ସେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଆଶାକର୍ମୀ ପଦ ପାଇଁ ଆବେଦନ କରିବାବେଳେ ମାଟ୍ରିକ୍ ସାର୍ଟିଫିକେଟ୍ ଦାଖଲ କରିଥିଲେ । ମାତ୍ର ପରେ ତାଙ୍କର ଆଧାର କାର୍ଡରେ ଭିନ୍ନ ତାରିଖ ରହିଛି । ମାଟ୍ରିକ୍ ସାର୍ଟିଫିକେଟ୍ ଜନ୍ମ ତାରିଖ ୧୭-୦୫-୧୯୬୬ ଆଧାରରେ ତାଙ୍କର ଆଉ ଦୁଇ ବର୍ଷ କାର୍ଯ୍ୟକାଳ ରହିଛି । ଏହାକୁ ବିପିଏମ୍ ମନୋରଞ୍ଜନ ନାୟକ ଜାଣିପାରି ଆଶାକର୍ମୀଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଥିଲେ । ଆଧାରକାର୍ଡ ଅନୁସାରେ ତାଙ୍କର ଆଗୁଆ ଅବସର କରିଦେବାକୁ ଧମକ ଦେଉଥିଲେ । ଏଥିପାଇଁ ସେ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ନେଇ ଆଶାକର୍ମୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ବିପିଏମଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇଥିଲା । ପୂର୍ବ ଯୋଜନା ମୁତାବକ ଆଜି ଆଶାକର୍ମୀ ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ବିପିଏମଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରାଯାଇଛି । ତାଙ୍କର ଦୁଇଟି ଠିକଣାରେ ଚଢ଼ଉ କରାଯାଉଛି ।