ଝୁଲି ଝୁଲି ରଥକୁ ଆସିଲେ କାଳିଆ ସାଆନ୍ତ, ଜନସମୁଦ୍ର ବଡଦାଣ୍ଡ

ଭୁବନେଶ୍ୱର, ୧୬/୦୭ : ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ଶେଷ ହୋଇଛି କୋଟି କୋଟି ଭକ୍ତଙ୍କ ଦୀର୍ଘ ଅପେକ୍ଷା। ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସବୁଠୁ ଆବେଗଘନ ଓ ପ୍ରତୀକ୍ଷିତ ନୀତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପହଣ୍ଡି ବିଜେ। ଶଙ୍ଖଧ୍ୱନି, ଘଣ୍ଟ, ମୃଦଙ୍ଗର ତାଳ ଓ “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ବଡ଼ଦାଣ୍ଡ। ଚାରିଆଡ଼େ କେବଳ ଭକ୍ତି, ଆନନ୍ଦ ଓ ଆଧ୍ୟାତ୍ମିକ ଉଲ୍ଲାସର ପରିବେଶ। ବର୍ଷସାରା ଏହି ଦିବ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ ଭକ୍ତ ଓଡ଼ିଶା ସମେତ ଦେଶ-ବିଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ସମସ୍ତଙ୍କ ଆଖି ଆଜି କେବଳ ଗୋଟିଏ ଦୃଶ୍ୟ ଦେଖିବାକୁ ବ୍ୟାକୁଳ। ସେବାୟତଙ୍କ କାନ୍ଧରେ ଝୁଲି ଝୁଲି ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଆସୁଥିବା କାଳିଆ ସାଆନ୍ତଙ୍କ ଦିବ୍ୟ ପହଣ୍ଡି। ପ୍ରଭୁଙ୍କ ପ୍ରତ୍ୟେକ ପଦକ୍ଷେପ ସହ ଭକ୍ତଙ୍କ ଉତ୍ସାହ, ଆବେଗ ଓ ଭକ୍ତି ଆହୁରି ବଢ଼ି ଚାଲିଛି। କାହାର ଆଖିରେ ଆନନ୍ଦାଶ୍ରୁ, କାହାର ହାତ ଯୋଡ଼ା ପ୍ରାର୍ଥନାରେ, ଆଉ କାହାର ମନର ଅକୁହା କଥା ଆଜି ମହାପ୍ରଭୁଙ୍କ ଚରଣରେ ସମର୍ପିତ ହେଉଛି। ପରମ୍ପରା ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଦେବଦଳନ ରଥରେ ବିଜେ କରାଯାଇଥିଲା। ଏହାପରେ ବଡ଼ଠାକୁର ଶ୍ରୀବଳଭଦ୍ର ତାଳଧ୍ୱଜ ରଥରେ ରଥାରୂଢ଼ ହୋଇଥିବା ବେଳେ ଭଉଣୀ ମା’ ସୁଭଦ୍ରା ଦେବଦଳନ ରଥରେ ବିଜେ କରିଥିଲେ। ଶେଷରେ ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ପହଣ୍ଡିରେ ଆସିଥିଲେ କାଳିଆ ସାଆନ୍ତ। “ହରିବୋଲ”, “ଜୟ ଜଗନ୍ନାଥ” ଓ ହୁଳହୁଳି ଧ୍ୱନିରେ ଫାଟି ପଡ଼ିଥିଲା ବଡ଼ଦାଣ୍ଡ। ରଥଯାତ୍ରା ହେଉଛି ସେହି ଅନନ୍ୟ ପର୍ବ, ଯେଉଁଠି ଭଗବାନ ସ୍ୱୟଂ ଭକ୍ତଙ୍କ ପାଖକୁ ଆସନ୍ତି। ରଥାରୂଢ଼ ହୋଇ ମାଉସୀ ମା’ଙ୍କ ଘରକୁ ଯାତ୍ରା କରିବେ ମହାବାହୁ। ଏହି ଅପୂର୍ବ ଦିବ୍ୟ ଦୃଶ୍ୟର ସାକ୍ଷୀ ହୋଇ ଭକ୍ତ ଓ ଭଗବାନ ଆଜି ବଡ଼ଦାଣ୍ଡରେ ଏକାକାର ହୋଇଯାଇଛନ୍ତି। ସତରେ, ଏଭଳି ଅଲୌକିକ ମୁହୂର୍ତ୍ତ ଜୀବନରେ ଥରେ ଦେଖିବା ହିଁ ପରମ ସୌଭାଗ୍ୟ।

SBI AD