ମାଓବାଦୀଙ୍କ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ଭୁବନେଶ୍ୱର, ୦୩/୦୭ : କୋରାପୁଟ ପୁଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତ ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲ୍ଲା ପୁଲିସର ଡିଭିଏଫ୍ ଯବାନମାନେ ମାଓବାଦୀଙ୍କ ଏକ ଡମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।ଏହି ଡମ୍ପଟି କୋରାପୁଟ-ମାଲକାନଗିରି ସୀମାନ୍ତ ବୈପାରୀଗୁଡ଼ା ଅଞ୍ଚଳର ତେନ୍ତୁଳିଗୁମା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଆଜି ସକାଳେ ୨୫ ଜଣିଆ ଡିଭିଏଫ୍ ଟିମ୍ ସେଠାରେ ଚଢ଼ାଉ କରି ଏହି ସଫଳତା ହାସଲ କରିଥିଲେ।ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ୬ଟି ଦେଶୀ ବନ୍ଦୁକ, ଗୋଟିଏ ବନ୍ଦୁକର ବାରୁଦ, ୬ଟି କୋଖା, ୧୧ଟି ଟିଫିନ୍ ବୋମା, ମାଓବାଦୀ ସାହିତ୍ୟ, ଗୋଟିଏ କ୍ୟାମେରା ଏବଂ ୨ଟି ଫ୍ଲାସ୍ ଲାଇଟ୍ ରହିଛି। ଜବତ ହୋଇଥିବା ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ଭାବେ ଜବତ କରି ପରବର୍ତ୍ତୀ ତଦନ୍ତ ଜାରି ରହିଛି।କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇ କହିଛନ୍ତି ଯେ, ମାଓବାଦୀଙ୍କ ଗତିବିଧି ଉପରେ ପୁଲିସର କଡ଼ା ନଜର ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି କମ୍ବିଂ ଅପରେସନ ଜାରି ରହିବ।