ଭୟଙ୍କର ସଡ଼କ ଦୁର୍ଘଟଣା, ୪୦ ଜଣ ମୃତ

ନୂଆଦିଲ୍ଲୀ, ୦୩/୦୭ : ପାକିସ୍ତାନର ଖାଇବର ପଖତୁନଖ୍ବାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ଘଟଣା ତଦନ୍ତାଧୀନ ରହିଛି । ବେଲୁଚିସ୍ତାନର କ୍ବେଟାରୁ ବସଟି ବାହାରି ପେଶାୱର ଯାଉଥିଲା । ଖାଇବର ପଖତୁନଖ୍ୱା ପ୍ରଦେଶର ଇସମାଇଲ ଖାନ ଜିଲ୍ଲାରେ ପହଞ୍ଚିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ବସରେ ୪୮ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା । ବସର ବ୍ରେକ୍ ଫେଲ୍ ହେବା ପରେ ନିୟନ୍ତ୍ରଣ ହରାଇ ରାସ୍ତାରୁ ଖସି ଖାଇକୁ ଖସି ପଡିଥିଲା ସୂଚନା ମିଳୁଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଦୁର୍ଘଟଣା ପ୍ରକୃତ କାରଣ ଜଣାପଡିନାହିଁ । ଅନ୍ୟପଟେ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ପାଇଁ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି, “ଏହି ଦୁଃଖଦ ଘଟଣା ଦ୍ୱାରା ପ୍ରଭାବିତ ପରିବାରର ଦୁଃଖରେ ସମଗ୍ର ଦେଶ ସହଭାଗୀ।”