ରଥଯାତ୍ରା ପାଇଁ ୬ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ରଥ ଉପରକୁ ମୋବାଇଲ ମନା

ଭୁବନେଶ୍ୱର, ୦୩/୦୭ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରଥ ଉପରେ ଅନଧିକୃତ ଓ ଛଦ୍ମବେଶୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରଥ ଉପରକୁ ନେଇପାରିବେନି ମୋବାଇଲ । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଆସନ୍ତା ୧୮ ତାରିଖରେ ଏଏସଆଇ ସହ ଶ୍ରୀମନ୍ଦିର ବୈଷୟିକ କମିଟି ଶ୍ରୀମନ୍ଦିର ଭୋଗମଣ୍ଡପ, ଗର୍ଭଗୃହ,ନାଟମଣ୍ଡପ ଯାଞ୍ଚ କରିବ । ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ରୂପା ରସିକ ଶୁଆ ଥଣ୍ଟିଆର ଗଣତି। ନୀଳାଦ୍ରିବିଜେ ପରେ ଓ ଚିତାଲାଗି ଅମାବାସ୍ୟା ପୂର୍ବରୁ ହେବ ମହାପ୍ରଭୁଙ୍କ ରାହୁ ରେଖା ଓ ସୁବର୍ଣ୍ଣ ଖଚିତ ଚିତାର ଗଣତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦେଲେ ସୂଚନା । ପୁରୀ ରଥଯାତ୍ରାରେ ଆହୁରି ଅଧିକାରୀଙ୍କୁ ନିଯୁକ୍ତ କରିବେ ସରକାର । ସମ୍ପୂର୍ଣ୍ଣ ଶୃଙ୍ଖଳା ସହ ରଥଯାତ୍ରା ସରକାରଙ୍କ ପ୍ରାଥମିକତା । ଏହାକୁ ନଜରେ ରଖି ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରାଯାଉଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରଥକୁ ଯିବା ପୂର୍ବରୁ ରୀତିକାନ୍ତି ଏବଂ ରଥ ଚଢିବା ପରେ ରୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ଉପରେ ନଜର । ଶ୍ରଦ୍ଧାଳୁଙ୍କ ଦର୍ଶନ ସୁଗମ ପାଇଁ ବଡଦାଣ୍ଡକୁ ବିଭିନ୍ନ ଅଂଶରେ ବଣ୍ଟlଯାଇ ପ୍ରତି ଅଂଶରେ ଜଣେ ଜଣେ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରାଯିବ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମସ୍ତ ରଥଯାତ୍ରା ଏବଂ ଜଗନାଥ ମନ୍ଦିରଙ୍କୁ ମିଳିବ ସରକାରୀ ସହାୟତା ବୋଲି କହିଛନ୍ତି ପୃଥ୍ବୀରାଜ ।