ଭୁବନେଶ୍ୱର, ୦୯/୧୦ : ପାରାଦୀପ ସମୁଦ୍ରରେ ଖସିପଡ଼ିଲା ଯାତ୍ରୀବାହୀ ବିମାନ । ଦୁର୍ଘଟଣାଗ୍ରସ୍ତ ବିମାନ ଧକ୍କାରେ କ୍ଷତିଗ୍ରସ୍ତ ହେଲା ବିଶାଳ ଜାହାଜ । କୌଣସି ସତ ଦୁର୍ଘଟଣା ନୁହେଁ, ଏଭଳି ଏକ କାଳ୍ପନିକ ଦୁର୍ଘଟଣାର ଉଦ୍ଧାରକାର୍ୟ୍ୟ ଅଭ୍ୟାସ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ପାରାଦୀପ ତଟରେ ୧୨ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଏକ୍ସର୍ସାଇଜ-ସାରେକ୍ସ ୨୦୨୬ରେ ଦେଖିବାକୁ ମିଳିଛି ରୋମାଞ୍ଚକର ଦୃଶ୍ୟ । ସମୁଦ୍ରରେ ବଡ଼ ଧରଣର ଦୁର୍ଘଟଣା ହେଲେ କିପରି ଦ୍ରୁତ ଓ ସମନ୍ୱିତ ଉଦ୍ଧାର କରାଯାଇପାରିବ, ତାହା ପରୀକ୍ଷା କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ବୋର୍ଡର ତତ୍ତ୍ୱାବଧାନରେ ଏହି ଅଭ୍ୟାସ ହୋଇଛି । ସମୁଦ୍ର ଅଭ୍ୟାସରେ ଏକ ବଡ଼ ଉଦ୍ଧାର ଅପରେସନର ଦୃଶ୍ୟ କଳ୍ପନା କରାଯାଇଥିଲା ।