ଆଜି ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ବର, ୧୦/୧୦ : ଆଜି ଓଡ଼ିଶା ଆସୁଛନ୍ତି ଆରଏସ୍ ଏସ୍ ର ସରସଂଘଚାଳକ ମୋହନ ଭାଗବତ । ସମ୍ବଲପୁରରେ ଦୁଇଦିନିଆ କାର୍ଯ୍ୟକ୍ରମ । ଆଜି ଅପରାହ୍ଣ ୪ଟାରେ ସେ ସମ୍ବଲପୁରରେ ପହଞ୍ଚିବେ । ଗସ୍ତ ସମୟରେ ମୋହନ ଭାଗବତ ସ୍ୱୟଂସେବକଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ସଂଘର ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତାଙ୍କ ସହ ସାଂଗଠନିକ ବୈଠକ କରିବେ । ଆରଏସ୍ ଏସ୍ ର ଓଡ଼ିଶା ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡାଙ୍କ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ସ୍ୱୟଂସେବକଙ୍କ ‘ଆହ୍ୱାନଗଣ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ମୋହନ ଭାଗବତ ଉପସ୍ଥିତ ରହି ସ୍ୱୟଂସେବକଙ୍କୁ ମାର୍ଗଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ଆସନ୍ତାକାଲି ରବିବାର ସଂଘର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ । ମୋହନ ଭାଗବତ ବୈଠକର ତତ୍ତ୍ୱାବଧାନ କରିବା ସହ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିବେ । ବୈଠକରେ ସଂଘର ସାଂଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇପାରେ । ଦୁଇଦିନିଆ କାର୍ଯ୍ୟକ୍ରମ ଶେଷ କରି ମୋହନ ଭାଗବତ ଆସନ୍ତାକାଲି ସନ୍ଧ୍ୟାରେ ଓଡ଼ିଶାରୁ ଫେରିଯିବେ । ଏନେଇ ଆରଏସ୍ ଏସ୍ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି ।